Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ଲାଗିରହିବ ବର୍ଷା; ୨୩ରେ ପୁଣି ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ସ୍ପଷ୍ଟ ଚିହ୍ନିତ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏହାସହ ୨୩ରୁ ୨୯ ତାରିଖ ମଧ୍ୟରେ ଉତ୍ତର ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ଆଇଏମଡି ବିସ୍ତୃତ ଆକଳନ ଜାରି କରିଛି।

ଆଇଏମଡିର ସୂଚନା ଅନୁସାରେ, ୧୭ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାଛଡ଼ା ଉତ୍ତର, ପଶ୍ଚିମ ଓ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୮ ତାରିଖରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ଜାରି ରହିବାକୁ ଥିବାବେଳେ ୧୯ ଓ ୨୦ ତାରିଖରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ତେବେ ବର୍ତ୍ତମାନର ଲଘୁଚାପ ଆଉ ଘନୀଭୂତ ହେବ ନାହିଁ ଏବଂ ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଭାଗ କହିଛି।

ଲଗାଣ ବର୍ଷା ପ୍ରଭାବରେ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ମଧ୍ୟ ବଢ଼ୁଛି। ଜେନାପୁରଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୧୭.୬୮ ମିଟର ଥିବାବେଳେ ଏହା ସତର୍କ ସଙ୍କେତଠାରୁ ତଳେ ରହିଛି। ସେହିପରି ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ୧୬.୬୨ ମିଟରକୁ ବୃଦ୍ଧି ପାଇଛି, ଯାହା ସତର୍କ ସଙ୍କେତ ୧୭.୮୩ ମିଟରର ନିକଟବର୍ତ୍ତୀ। ତେବେ ଚଳିତ ସପ୍ତାହରେ ରାଜ୍ୟରେ ବଡ଼ ଧରଣର ବନ୍ୟା ପରିସ୍ଥିତି କିମ୍ବା ଅତିପ୍ରବଳ ବର୍ଷାର ଆଶଙ୍କା ନଥିବା ଆଇଏମଡି ସ୍ପଷ୍ଟ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories