ପ୍ରକାଶ ପାଇଲା NEET-UG ୨୦୨୬ ପରୀକ୍ଷା ଫଳାଫଳ: ସାତ୍ତ୍ୱିକ ପଟ୍ଟନାୟକ ଓଡ଼ିଶା ଟପ୍ପର
ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ NEET-UG ୨୦୨୬ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଦେଶ ଓ ବିଦେଶର ୫୫୧ଟି ସହରର ୫,୪୪୦ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୨୦ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ | ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୨୧ ହଜାର ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସଫଳ ପ୍ରାର୍ଥୀଙ୍କ ମଧ୍ୟରୁ ୫୮ ପ୍ରତିଶତ ଛାତ୍ରୀ ଥିବାବେଳେ, ଏହି ମେରିଟ୍ ଆଧାରରେ ସେମାନେ ଏମ୍ବିବିଏସ୍, ବିଡିଏସ୍ ଓ ଅନ୍ୟାନ୍ୟ ଡାକ୍ତରୀ ସ୍ନାତକ ପାଠ୍ୟକ୍ରମରେ ନାମଲେଖାର ସୁଯୋଗ ପାଇବେ।
ଚଳିତ ବର୍ଷ ପଞ୍ଜାବର ଆର୍ଯ୍ୟାନ ଗୁପ୍ତା ଏବଂ ହରିଆଣାର ପାଂଶୁଲ ବଂଶଲ ସର୍ବଭାରତୀୟ ସ୍ତରରେ ଯୁଗ୍ମ ଟପ୍ପର ହୋଇଛନ୍ତି। ଓଡ଼ିଶାରୁ ସାତ୍ତ୍ୱିକ ପଟ୍ଟନାୟକ ରାଜ୍ୟ ଟପ୍ପର ହୋଇ ଦେଶରେ ୪୦ତମ ରାଙ୍କ ହାସଲ କରିଛନ୍ତି। ସେ ୯୯.୯୯୭୮୯୯୯ ପର୍ସେଣ୍ଟାଇଲ୍ ହାସଲ କରିଛନ୍ତି। ଓଡ଼ିଶାରେ ପ୍ରାୟ ୩ ହଜାର ମେଡିକାଲ୍ ସିଟ୍ ଥିବାବେଳେ, ଏହାର କାଉନସେଲିଂ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) କର୍ତ୍ତୃପକ୍ଷ ପରିଚାଳନା କରିବେ।
ଏଥର ୬୯୦ କିମ୍ବା ତା’ଠାରୁ ଅଧିକ ନମ୍ବର ହାସଲ କରିଥିବା ୧୩୮ ଜଣ ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୯୩ ପ୍ରତିଶତରୁ ଅଧିକ ପ୍ରଥମ ଥର ପାଇଁ NEET-UG ପରୀକ୍ଷା ଦେଇଥିଲେ ଏବଂ ୯୯ ପ୍ରତିଶତ ଟପ୍ ସ୍କୋରରଙ୍କ ବୟସ ୧୭ରୁ ୧୯ ବର୍ଷ ମଧ୍ୟରେ ରହିଛି। ସର୍ବାଧିକ ୧ ଲକ୍ଷ ୭୦ ହଜାରରୁ ଅଧିକ ସଫଳ ପ୍ରାର୍ଥୀ ଉତ୍ତର ପ୍ରଦେଶରୁ ଥିବାବେଳେ, ଲାକ୍ଷାଦ୍ୱୀପରୁ ସବୁଠାରୁ କମ୍ ୪୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୧୩ଟି ଭାଷାରେ ଆୟୋଜିତ ଏହି ପରୀକ୍ଷାରେ ଦେଶର ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଯୋଗୁ ପ୍ରଥମ ପରୀକ୍ଷା ବାତିଲ୍ ହେବା ପରେ ଜୁନ୍ ୨୧ରେ ପୁନଃ ପରୀକ୍ଷା ଆୟୋଜିତ ହୋଇଥିଲା ଏବଂ ତାହାର ଫଳାଫଳ ଜୁଲାଇ ୧୬ରେ ପ୍ରକାଶ ପାଇଛି।

