ପୁଣି ଆରମ୍ଭ ହେଲା ରଥଟଣା, ଗଡ଼ିଲା ବଳଭଦ୍ରଙ୍କ ରଥ
ପୁରୀ: ପୁରୀରେ ରଥଯାତ୍ରାର ଦ୍ୱିତୀୟ ଦିନରେ ପୁଣିଥରେ ରଥଟଣା ଆରମ୍ଭ ହୋଇଛି। ସକାଳେ ଶ୍ରୀଜିଉମାନଙ୍କ ରଥରେ ମଙ୍ଗଳାର୍ପଣ ନୀତି ସମ୍ପନ୍ନ ହେବା ପରେ ପ୍ରଥମେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଟାଣିବା ଆରମ୍ଭ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ବୈଦିକ ମନ୍ତ୍ରୋଚ୍ଚାରଣ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ସେବାୟତମାନେ ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଥିଲେ।
ଗତକାଲି ପହଣ୍ଡି ନୀତି ସମୟରେ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେବାରେ ବିଳମ୍ବ ହୋଇଥିଲା। ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ସକାଳ ପ୍ରାୟ ୧୧ଟା ସୁଦ୍ଧା ରଥାରୂଢ଼ ହୋଇଥିଲେ। ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥରେ ବିଜେ କରିବାକୁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଫଳରେ ରଥଟଣା ମଧ୍ୟ ପ୍ରାୟ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଥିଲା।
ଗତକାଲିର ରଥଯାତ୍ରାରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଆଜି ରଥଟଣା ପୁଣି ଆରମ୍ଭ ହେବା ସହ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ବଢ଼ିଛି।

