ଭୁବନେଶ୍ୱର ଶ୍ରୀଲେଦର୍ସ ସୋ’ରୁମ୍ରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
ଭୁବନେଶ୍ୱର: ରାଜଧାନୀର ଅଶୋକନଗରସ୍ଥିତ ଶ୍ରୀଲେଦର୍ସ ସୋ’ରୁମ୍ରେ ଆଜି ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସକାଳ ପ୍ରାୟ ୫ଟା ବେଳେ ସୋ’ରୁମ୍ରୁ ଧୂଆଁ ବାହାରୁଥିବା ଦେଖି ଉପର ମହଲାରେ ଥିବା ଲଜ୍ର କର୍ମଚାରୀ ମାଲିକଙ୍କୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯିବା ପରେ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା।
ନିଆଁ ଯୋଗୁଁ ସୋ’ରୁମ୍ ଭିତରେ ପ୍ରବଳ ଧୂଆଁ ହୋଇଥିବାରୁ ଅଗ୍ନିଶମ କର୍ମଚାରୀମାନେ ଉପର ମହଲାର କାଚ ଝରକା ଭାଙ୍ଗି ଧୂଆଁ ବାହାର କରିଥିଲେ। ନିଆଁ ଉପର ମହଲାକୁ ବ୍ୟାପିବା ପୂର୍ବରୁ ତାହାକୁ ଆୟତ୍ତ କରାଯାଇଥିଲା। ତେବେ ତଳ ମହଲାରେ ଥିବା ବ୍ୟାଗ୍ ସେକ୍ସନ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି।
ଅଗ୍ନିକାଣ୍ଡରେ ସ୍କୁଲ ବ୍ୟାଗ୍, ଟ୍ରଲି ବ୍ୟାଗ୍ ଓ ବିଭିନ୍ନ ପ୍ରକାରର ହ୍ୟାଣ୍ଡବ୍ୟାଗ୍ ସହ ୫୦୦ରୁ ଅଧିକ ବ୍ୟାଗ୍ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ପାଣି ମାଡ଼ ଯୋଗୁଁ ଅନ୍ୟ ସାମଗ୍ରୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

