ବଳଗଣ୍ଡିରେ ନନ୍ଦିଘୋଷ, ଶରଧାବାଲିରେ ପହଞ୍ଚିଲା ତାଳଧ୍ୱଜ; ରଥଯାତ୍ରାରେ ଭକ୍ତିର ମହାସମାଗମ
ପୁରୀ : ପୁରୀ ବଡ଼ଦାଣ୍ଡରେ ଆଜି ଆଧ୍ୟାତ୍ମିକତା ଏବଂ ଭକ୍ତିପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଛି । ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି | ବଳଗଣ୍ଡି ଛକରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ | ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚିଛି। ‘ଜୟ ଜଗନ୍ନାଥ’, ‘ହରିବୋଲ’ ଓ ‘ଜୟ ବଳଭଦ୍ର’ ଧ୍ୱନିରେ ସମଗ୍ର ବଡ଼ଦାଣ୍ଡ ପ୍ରକମ୍ପିତ ହେଉଥିବାବେଳେ ଲକ୍ଷ ଲକ୍ଷ ଭକ୍ତ ରଥ ଟାଣିବା ସହ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନର ସୌଭାଗ୍ୟ ଲାଭ କରୁଛନ୍ତି।
କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଶରଧାବାଲି ଅଭିମୁଖେ ଅଗ୍ରସର ହେଉଥିବାବେଳେ ଭକ୍ତମାନଙ୍କ ଉତ୍ସାହ ଦେଖିବାକୁ ମିଳୁଛି। ଅନ୍ୟପଟେ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ବଡ଼ଠାକୁରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ପହଞ୍ଚିବା ପରେ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ରଥର ଦଉଡ଼ିରେ ହାତ ଲଗାଇବା ସହ ବଡ଼ଠାକୁରଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ।
ରଥଯାତ୍ରାକୁ ନେଇ ଗୁଣ୍ଡିଚା ମନ୍ଦିର ଓ ଶରଧାବାଲି ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁଲିସ, ପ୍ରଶାସନ, ସେବାୟତ ଓ ସ୍ୱେଚ୍ଛାସେବୀଙ୍କ ସମନ୍ୱୟରେ ଭକ୍ତଙ୍କ ଭିଡ଼କୁ ସୁଚାରୁ ଭାବେ ପରିଚାଳନା କରାଯାଉଛି। ଏପଟେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ମଧ୍ୟ ଶରଧାବାଲି ଅଭିମୁଖେ ଅଗ୍ରସର ହେଉଥିବାରୁ ପୁରୀରେ ଭକ୍ତି, ବିଶ୍ୱାସ ଓ ଆଧ୍ୟାତ୍ମିକ ଉଲ୍ଲାସର ପରିବେଶ ସୃଷ୍ଟି ହୋଇଛି।

