Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିୟୁଟି ମହାନ୍ତି ମୃତ୍ୟୁ ମାମଲା: ତଦନ୍ତରେ ୩ ସ୍ୱତନ୍ତ୍ର ଟିମ୍‌, ଡିଜିଟାଲ୍ ପ୍ରମାଣ ଉପରେ ଫୋକସ୍

କଟକ: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ କଟକ ପୋଲିସ ୩ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି। ଏନେଇ ସୂଚନା ଦେଇ କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି ଯେ, ପ୍ରତ୍ୟେକ ଟିମ୍‌କୁ ଭିନ୍ନ ଭିନ୍ନ ଦାୟିତ୍ୱ ଦିଆଯାଇଛି, ଯାହାଫଳରେ ମାମଲାର ପ୍ରତ୍ୟେକ ଦିଗର ସୂକ୍ଷ୍ମ ତଦନ୍ତ କରାଯାଇପାରିବ। ମାମଲାର ପ୍ରଗତି ଉପରେ ନିଜେ ଡିସିପି ନଜର ରଖିଥିବା ବେଳେ ଜଣେ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀ ସମଗ୍ର ତଦନ୍ତ ପ୍ରକ୍ରିୟାର ତଦାରଖ କରୁଛନ୍ତି।

ଡିସିପିଙ୍କ ସୂଚନା ଅନୁଯାୟୀ, ପ୍ରଥମ ଟିମ୍‌ ପୋଷ୍ଟମର୍ଟମ ରିପୋର୍ଟ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାକ୍ଷ୍ୟ ଓ ତଥ୍ୟ ସଂଗ୍ରହ କରୁଛି। ଦ୍ୱିତୀୟ ଟିମ୍‌ ବିୟୁଟି ମହାନ୍ତିଙ୍କ ମୃତ୍ୟୁ ପୂର୍ବର ଶେଷ ଯୋଗାଯୋଗ ଓ ସମ୍ପର୍କିତ ବ୍ୟକ୍ତିମାନଙ୍କୁ ପଚରାଉଚରା କରୁଛି। ସେହିପରି ତୃତୀୟ ଟିମ୍‌ ସାଇଣ୍ଟିଫିକ୍ ଏବଂ ଡିଜିଟାଲ୍ ପ୍ରମାଣର ବିଶ୍ଳେଷଣରେ ନିୟୋଜିତ ରହିଛି। ଏସ୍‌ଏଫ୍‌ଏସ୍‌ଏଲ୍‌ (SFSL) ପକ୍ଷରୁ ପୋଲିସକୁ ଆଂଶିକ ଡିଜିଟାଲ୍ ରିପୋର୍ଟ ମିଳିଥିବା ବେଳେ ମୋବାଇଲ୍‌ ଫୋନ୍‌ରୁ ମିଳିଥିବା ଡାଟାର ମଧ୍ୟ ବିସ୍ତୃତ ବିଶ୍ଳେଷଣ ଜାରି ରହିଛି। ଭିନ୍ନ ଭିନ୍ନ ଫର୍ମାଟ୍‌ରେ ରିପୋର୍ଟ ଆସୁଥିବାରୁ ଯାଞ୍ଚ ପ୍ରକ୍ରିୟା ଚାଲିଥିବା ଡିସିପି କହିଛନ୍ତି।

ଅନ୍ୟପଟେ, ତଦନ୍ତରେ ସହଯୋଗ ପାଇଁ ପୋଲିସ ପକ୍ଷରୁ ବିୟୁଟି ମହାନ୍ତିଙ୍କ ପରିବାର ସହ ନିୟମିତ ଯୋଗାଯୋଗ ରଖାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କେବଳ ୟୁଡି (ଅସ୍ୱାଭାବିକ ମୃତ୍ୟୁ) ମାମଲା ରୁଜୁ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାରୁ ପୋଲିସ ସମସ୍ତ ସମ୍ଭାବ୍ୟ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ତଦନ୍ତ ଶେଷ ହେବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories