ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀରେ ଅସମ୍ଭାଳ ଭିଡ଼; ବଦଳିଲା ଟ୍ରାଫିକ ବ୍ୟବସ୍ଥା
ପୁରୀ: ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏହାର ପ୍ରଭାବରେ ଭୁବନେଶ୍ୱର–ପୁରୀ ୩୧୬ ନମ୍ବର ଜାତୀୟ ରାଜପଥରେ ଅସମ୍ଭାଳ ଭିଡ଼ ଦେଖାଦେଇଛି। ଶ୍ରଦ୍ଧାଳୁ ଏବଂ ଯାନବାହନର ପ୍ରବଳ ଚାପକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି।
ଟ୍ରାଫିକ କଣ୍ଟ୍ରୋଲ ରୁମ୍ର ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ପୁରୀ ଆସୁଥିବା ସମସ୍ତ ଗାଡ଼ିକୁ ମାଳତୀପାଟପୁର ଫ୍ଲାଇଓଭର ଦେଇ ତାଳବଣିଆ ଆଡ଼କୁ ଡାଇଭର୍ଟ କରାଯାଉଛି। ଏହି ବ୍ୟବସ୍ଥା ଯୋଗୁଁ ମାଳତୀପାଟପୁର ଅଞ୍ଚଳରେ ପ୍ରବଳ ଟ୍ରାଫିକ ଜାମ୍ ସୃଷ୍ଟି ହୋଇଛି। ଗାଡ଼ିଗୁଡ଼ିକୁ ଏହି ଅଞ୍ଚଳ ଅତିକ୍ରମ କରିବାକୁ ପ୍ରାୟ ଏକ ଘଣ୍ଟା ସମୟ ଲାଗୁଥିବା ଜଣାପଡ଼ିଛି।
ପୁଲିସ ପକ୍ଷରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଟ୍ରାଫିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଯାତ୍ରାର ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି, ଟ୍ରାଫିକ କର୍ମଚାରୀଙ୍କ ନିର୍ଦ୍ଦେଶ ମାନି ସହଯୋଗ କରିବାକୁ ମଧ୍ୟ ସମସ୍ତଙ୍କୁ ଅନୁରୋଧ କରାଯାଇଛି।

