ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା; ଓଡ଼ିଶା ସମେତ ୧୫ ରାଜ୍ୟକୁ IMDର ସତର୍କ ସୂଚନା
ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ (IMD) ଦେଶର ଏକାଧିକ ରାଜ୍ୟ ପାଇଁ ପ୍ରବଳ ବର୍ଷା ଓ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବା ସହ ପଶ୍ଚିମା ଝଡ଼ ସକ୍ରିୟ ହେଉଥିବାରୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ସମେତ ୧୫ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଜ୍ରପାତ ଓ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
IMDର ସୂଚନା ଅନୁଯାୟୀ, ଆଗାମୀ ୭ ଦିନ ଧରି ଉତ୍ତର-ପୂର୍ବ ଭାରତ, ଉପ-ହିମାଳୟ ପଶ୍ଚିମବଙ୍ଗ, ସିକିମ, ବିହାର, ଉତ୍ତର ପ୍ରଦେଶ ଓ ପଶ୍ଚିମ ହିମାଳୟ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିପାରେ। ଆଜି ଉତ୍ତର ପ୍ରଦେଶ, ବିହାର, ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ଭାରି ବର୍ଷାର ଆଶଙ୍କା ରହିଛି।
ଆସନ୍ତା ୨୨ ଜୁଲାଇ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଭୂସ୍ଖଳନର ଆଶଙ୍କା ଥିବାବେଳେ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ବିଜୁଳି ଘଡ଼ଘଡ଼ି ସହ ମୁଷଳଧାରା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି | ଏଭଳି ପରିସ୍ଥିତିରେ ଲୋକଙ୍କୁ ସତର୍କ ରହିବା, ଅନାବଶ୍ୟକ ବାହାରକୁ ନଯିବା ଏବଂ ସ୍ଥାନୀୟ ପ୍ରଶାସନ ଓ IMDର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି।

