ପ୍ରଶାସନର ନିର୍ଦ୍ଦେଶକୁ ମାନିଲେନି ସେବାୟତ! ରଥ ଉପରେ ଶ୍ରୀଜୀଉଙ୍କୁ ପଛ କରି ସେଲ୍ଫି ଉଠାଇଲେ
ପୁରୀ: ରଥଯାତ୍ରାରେ ଏଥର ମଧ୍ୟ ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥାବଳୀକୁ କେତେକ ସେବାୟତ ବେଖାତିର କରିଥିବା ଅଭିଯୋଗ ଉଠିଛି। ରଥ ଉପରେ ରଥାରୂଢ଼ ଶ୍ରୀଜିଉଙ୍କ ସହ ମୋବାଇଲରେ ସେଲ୍ଫି, ଫଟୋ ଓ ଭିଡିଓ ଉଠାଇବା ସହ କିଛି ସେବାୟତ ଠାକୁରଙ୍କୁ ପଛ କରି ବସିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଏହାକୁ ନେଇ ଭକ୍ତ ମାନଙ୍କ ଗହଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ , ଏଥର ରଥ ଉପରେ ମୋବାଇଲ ବ୍ୟବହାର, ଫଟୋ କିମ୍ବା ଭିଡିଓ ଉଠାଇବାକୁ ପ୍ରଶାସନ ପୂର୍ବରୁ ସମ୍ପୂର୍ଣ୍ଣ ନିଷେଧ କରିଥିଲା। ଏପରି କଲେ ସମ୍ପୃକ୍ତ ସେବାୟତଙ୍କ ମୋବାଇଲ ଜବତ ସହ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା। ଏହାଛଡ଼ା ରଥ ଉପରେ ଠିଆ ହୋଇ କିମ୍ବା ଆଗରେ ବସି ଶ୍ରଦ୍ଧାଳୁଙ୍କ ଦର୍ଶନରେ ବାଧା ସୃଷ୍ଟି ନକରିବାକୁ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲା। ତେବେ କେତେକ ସେବାୟତ ଏହି ନିୟମ ଉଲ୍ଲଂଘନ କରିଥିବା ଦେଖାଯାଇଛି।
ଅନ୍ୟପଟେ, ଆଜି ଶ୍ରୀଜିଉମାନଙ୍କ ଆଡ଼ପ ମଣ୍ଡପ ବିଜେ ଥିବାରୁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖାଯାଉଛି। ଏଭଳି ସ୍ଥିତିରେ ରଥ ଉପରେ ସେଲ୍ଫି ଓ ଭିଡିଓ ଉଠାଇବା ଭକ୍ତଙ୍କ ଦର୍ଶନରେ ବାଧା ସୃଷ୍ଟି କରୁଥିବାରୁ ଏହାକୁ କଡ଼ାକଡ଼ି ରୋକିବା ପାଇଁ ଶ୍ରଦ୍ଧାଳୁ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ସେମାନଙ୍କ ମତରେ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ ଅପେକ୍ଷା କରୁଥିବାବେଳେ ନିୟମର କଠୋର ପାଳନ ସୁନିଶ୍ଚିତ କରିବା ପ୍ରଶାସନର ଦାୟିତ୍ୱ।

