Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାପ୍ରଭୁଙ୍କ ମୁଣ୍ଡରୁ ଟାହିଆ ଖୋଲାଯିବା ନେଇ ବାଡ଼ଗ୍ରାହୀଙ୍କ ସ୍ପଷ୍ଟୀକରଣ; ୪୫ ମିନିଟ୍‌ ଧରି ମହାପ୍ରଭୁ ନ ହଲିବାରୁ ନିଆଗଲା ନିଷ୍ପତ୍ତି

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ମୁଣ୍ଡରୁ ଟାହିଆ ଖୋଲାଯିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ଏନେଇ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ରାଜକୁମାର ସ୍ୱାଇଁ ମହାପାତ୍ର ସ୍ପଷ୍ଟୀକରଣ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ବର୍ଷାରେ ସୋଲରେ ତିଆରି ଟାହିଆ ଅତ୍ୟଧିକ ଓଜନ ହୋଇଯାଇଥିଲା। ଦୀର୍ଘ ୪୫ ମିନିଟ୍‌ ଧରି ମହାପ୍ରଭୁ ଆନନ୍ଦବଜାର ଗୁମୁଟ ନିକଟରେ ଅଗ୍ରସର ନ ହେବାରୁ ଏବଂ ଦଇତାପତି ସେବାୟତମାନଙ୍କ ପକ୍ଷରୁ ଟାହିଆ ବହନ କରିବା କଷ୍ଟକର ହେବାରୁ ଏହାକୁ ଖୋଲାଯାଇଥିଲା।

ବାଡ଼ଗ୍ରାହୀ କହିଛନ୍ତି, ସାତପାହାଚ ନିକଟରେ ମହାପ୍ରଭୁଙ୍କ ମସ୍ତକରେ ଟାହିଆ ପିନ୍ଧାଯାଇଥିଲା। ପରେ ଆନନ୍ଦବଜାର ଅତିକ୍ରମ କରିବା ପରେ ପ୍ରବଳ ବର୍ଷାରୁ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ଗିଲାପ (ରେନ୍‌କୋଟ୍‌ ସଦୃଶ ଆବରଣ) ପିନ୍ଧାଯାଇଥିଲା। ଗିଲାପ ପିନ୍ଧାଇବା ସମୟରେ ଟାହିଆ ଭାଙ୍ଗିଯାଇଥିଲା। ବର୍ଷାରେ ଫୁଲ, ତୁଳସୀ ଓ ସୋଲ ଭିଜି ଟାହିଆର ଓଜନ ବଢ଼ିଯାଇଥିବାରୁ ସେଥିରେ ଲାଗିଥିବା ପତଳା ବାଉଁଶ କାଠି ସେବାୟତଙ୍କ ଆଖି କିମ୍ବା ଦେହରେ ବାଜିବାର ଆଶଙ୍କା ଥିଲା। ଏହି କାରଣରୁ ସୁରକ୍ଷା ଦୃଷ୍ଟିରୁ ଟାହିଆକୁ ଖୋଲି ଅଲଗାରେ ରଖାଯାଇଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ, ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି ଯେ, ଗତ ୧୫ରୁ ୨୦ ବର୍ଷ ଧରି ଟାହିଆକୁ ସୁରକ୍ଷିତ ଭାବେ ଖୋଲି ସଂରକ୍ଷଣ କରାଯାଉଛି। ତେଣୁ ଏହା କୌଣସି ପରମ୍ପରାର ଉଲ୍ଲଂଘନ କିମ୍ବା ବେଆଇନ କାର୍ଯ୍ୟ ନୁହେଁ। ଟାହିଆ ପ୍ରସ୍ତୁତକାରୀ ସତ୍ୟନାରାୟଣ ବେହେରା ମଧ୍ୟ କହିଛନ୍ତି, ବର୍ଷାରେ ଟାହିଆ ଭିଜି ଅତ୍ୟଧିକ ଭାରୀ ହୋଇଯାଇଥିଲା ଏବଂ ସେଥିରୁ ବାଉଁଶ କାଠି ବାହାରି ସେବାୟତମାନେ ଆହତ ହେବାର ଆଶଙ୍କା ଥିଲା। ସେହିପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଓ ସେବାୟତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟାହିଆ ଖୋଲାଯାଇଥିଲା। ଏପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ଟାହିଆ ଲଗାଇବା କିମ୍ବା ଖୋଲିବା ସମ୍ପୂର୍ଣ୍ଣ ସେବାୟତମାନଙ୍କ ନିଷ୍ପତ୍ତି ଥିଲା, ପ୍ରଶାସନର ନୁହେଁ। ଏହାଦ୍ୱାରା କୌଣସି ପରମ୍ପରାର କ୍ଷୁଣ୍ଣ ହୋଇନାହିଁ ବୋଲି ସେବାୟତମାନେ ସ୍ପଷ୍ଟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories