ପୁରୀ ରଥଯାତ୍ରାରେ ଠେଲାପେଲା ଘଟଣା: ଗୃହ ବିଭାଗ ଓ ପୁରୀ ଜିଲ୍ଲାପାଳଙ୍କୁ ଜବାବ ମାଗିଲେ ମାନବାଧିକାର କମିଶନ
ପୁରୀ: ପୁରୀ ରଥଯାତ୍ରା ସମୟରେ ଘଟିଥିବା ଠେଲାପେଲା ଏବଂ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟଣାକୁ ଗୁରୁତର ଭାବେ ନେଇଛନ୍ତି ରାଜ୍ୟ ମାନବାଧିକାର କମିଶନ। ଏହି ଘଟଣାକୁ ନେଇ କମିଶନ ରାଜ୍ୟ ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କୁ ଜବାବ ମାଗିଛନ୍ତି । ସେହିପରି ଘଟଣାରେ ଆହତ ସମସ୍ତଙ୍କୁ ଉନ୍ନତ ଓ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଏହାସହିତ ଆସନ୍ତା ବାହୁଡ଼ା ଯାତ୍ରାକୁ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ କମିଶନ ରାଜ୍ୟ ଗୃହ ବିଭାଗ, ପୁରୀ ଜିଲ୍ଲାପାଳ ଏବଂ ପୁରୀ ଏସପିଙ୍କୁ ପୃଥକ ଚିଠି ଲେଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି। ରଥଯାତ୍ରା ଭଳି ବୃହତ୍ ଧାର୍ମିକ ସମାବେଶରେ ଭକ୍ତଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଉପରେ କମିଶନ ଗୁରୁତ୍ୱାରୋପ କରିଛନ୍ତି।
ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ଦାଖଲ କରାଯାଇଥିବା ଆବେଦନର ଶୁଣାଣି ପରେ କମିଶନ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଭବିଷ୍ୟତରେ ଏଭଳି ଅଘଟଣର ପୁନରାବୃତ୍ତି ରୋକିବା ପାଇଁ ଜନସମାଗମ ପରିଚାଳନା, ସୁରକ୍ଷା ବ୍ୟବସ୍ଥା ଏବଂ ଜରୁରୀକାଳୀନ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବାକୁ କମିଶନ ପରାମର୍ଶ ଦେଇଛନ୍ତି।

