Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଷ୍କର୍ମ ଉଦ୍ୟମରୁ ବଞ୍ଚିବାକୁ ଜଙ୍ଗଲକୁ ଦୌଡ଼ିଥିଲେ ମହିଳା; ଡ୍ରୋନ୍, ଫ୍ଲେୟାର ଗନ୍ ସହାୟତାରେ ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର: ଦୁଷ୍କର୍ମ ଉଦ୍ୟମରୁ ବଞ୍ଚିବାକୁ ଯାଇ ସଂରକ୍ଷିତ ଜଙ୍ଗଲରେ ବାଟବଣା ହୋଇଯାଇଥିବା ଜଣେ ମହିଳାଙ୍କୁ ଓଡ଼ିଶା ପୋଲିସ ରବିବାର ସଫଳତାର ସହ ଉଦ୍ଧାର କରିଛି। ଡ୍ରୋନ୍, ଫ୍ଲେୟାର ଗନ୍ ଓ ରକେଟ୍ ଆତସବାଜିର ସହାୟତାରେ ପୋଲିସ ମହିଳାଙ୍କ ଠିକଣା ଚିହ୍ନଟ କରି ସୁରକ୍ଷିତ ଭାବେ ତାଙ୍କୁ ଜଙ୍ଗଲ ବାହାରକୁ ଆଣିଥିଲା। ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ |

ପୋଲିସ ସୂଚନା ଅନୁଯାୟୀ, ମହିଳା ଜଣକ ଖୋର୍ଦ୍ଧା ବସ୍‌ଷ୍ଟାଣ୍ଡରୁ ଏକ ମୋଟରସାଇକେଲରେ ଲିଫ୍ଟ ନେଇଥିଲେ। ଅଭିଯୁକ୍ତ ତାଙ୍କୁ ରତନପୁର ସଂରକ୍ଷିତ ଜଙ୍ଗଲ ଅଞ୍ଚଳକୁ ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ମହିଳା ପ୍ରତିରୋଧ କରିବା ସହ ତାଙ୍କ କବଳରୁ ଖସି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ତେବେ ଜଙ୍ଗଲ ମଧ୍ୟରେ ସେ ବାଟବଣା ହୋଇ ରାସ୍ତା ଭୁଲି ଯାଇଥିଲେ |

ଜଙ୍ଗଲ ଭିତରୁ ମୋବାଇଲ ଫୋନ୍ ମାଧ୍ୟମରେ ମହିଳା ପୋଲିସକୁ ସହାୟତା ପାଇଁ ଯୋଗାଯୋଗ କରିଥିଲେ। ଏହାପରେ ଇନ୍‌ଫୋଭ୍ୟାଲି, ଜଟଣୀ ଓ ଖଣ୍ଡଗିରି ଥାନାର ପ୍ରାୟ ୫୦ ଜଣ ପୋଲିସ କର୍ମଚାରୀଙ୍କୁ ନେଇ ଏସିପି (ଜୋନ୍–୩)ଙ୍କ ନେତୃତ୍ୱରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ମହିଳାଙ୍କ ଫୋନରେ GPS ଲୋକେସନ୍ ବନ୍ଦ ଥିବାରୁ ଡ୍ରୋନ୍, ଫ୍ଲେୟାର ଗନ୍ ଓ ରକେଟ୍ ଆତସବାଜି ବ୍ୟବହାର କରି ପୋଲିସ ନିଜ ଅବସ୍ଥାନ ଜଣାଇଥିଲା। ପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ପ୍ରଥମେ ମହିଳା ଅଭିଯୋଗ ଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ ମଧ୍ୟ କାଉନସେଲିଂ ପରେ ଅଭିଯୋଗ ଦାଖଲ କରିଥିଲେ। ଇନ୍‌ଫୋଭ୍ୟାଲି ଥାନାରେ ଦୁଷ୍କର୍ମ ଉଦ୍ୟମ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଘଟଣାରେ ବ୍ୟବହୃତ ମୋଟରସାଇକେଲକୁ ମଧ୍ୟ ପୋଲିସ ଜବତ କରି ତଦନ୍ତ ଜାରି ରଖିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories