ବଦଳି ଆଦେଶ ନ ମାନିଲେ ବନ୍ଦ ହେବ ଦରମା! ଅର୍ଥ ବିଭାଗର କଡ଼ା ପଦକ୍ଷେପ
ଭୁବନେଶ୍ୱର: ବଦଳି ଆଦେଶ ପାଳନ କରୁ ନଥିବା ଅଧିକାରୀମାନଙ୍କ ପ୍ରତି ଅର୍ଥ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ବାରମ୍ବାର ନିର୍ଦ୍ଦେଶ ଏବଂ ସ୍ମାରକପତ୍ର ସତ୍ତ୍ୱେ ନୂଆ କାର୍ଯ୍ୟସ୍ଥଳରେ ଯୋଗ ନ ଦେଉଥିବା ଅଧିକାରୀଙ୍କୁ ତୁରନ୍ତ ଗାଦି ଛାଡ଼ିବାକୁ ଚେତାବନୀ ଦିଆଯାଇଛି। ଆଜି ସୁଦ୍ଧା ନୂଆ ସ୍ଥାନରେ ଯୋଗ ନ ଦେଲେ କାଲିଠାରୁ ସେମାନଙ୍କ ଦରମା ବନ୍ଦ କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସୂଚନା ଅନୁସାରେ, କିଛି ଅଧିକାରୀ ବଦଳି ଆଦେଶକୁ ଅଣଦେଖା କରି ପୁରୁଣା କାର୍ଯ୍ୟସ୍ଥଳରେ ରହିବା ସହ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାଧ୍ୟମରେ ଚାପ ସୃଷ୍ଟି କରୁଥିବା ଅଭିଯୋଗ ଆସିଛି । ଅର୍ଥ ବିଭାଗ ପକ୍ଷରୁ ତିନି ଥର ପର୍ଯ୍ୟନ୍ତ ବଦଳି ଆଦେଶ କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲେ ମଧ୍ୟ କିଛି ଅଧିକାରୀ ତାହା ପାଳନ କରିନଥିବା ସୂଚନା ମିଳିଛି ।
ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅର୍ଥ ବିଭାଗ କଡ଼ା ପଦକ୍ଷେପ ନେଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ବଦଳି ସ୍ଥାନରେ ଯୋଗ ନ ଦେଲେ ସମ୍ପୃକ୍ତ ଅଧିକାରୀଙ୍କ ଦରମା ବନ୍ଦ କରାଯିବା ସହ ପରବର୍ତ୍ତୀ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

