ଦେବଗଡ଼ରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ: ସ୍ତ୍ରୀ, ବୋହୂ ଓ ୪ ବର୍ଷର ନାତୁଣୀଙ୍କୁ ହାତୁଡ଼ିରେ ପିଟି ନିର୍ମମ ଭାବେ ହତ୍ୟା, ଅଭିଯୁକ୍ତ ଫେରାର
ଦେବଗଡ଼: ଜିଲ୍ଲାର କୁଣ୍ଡେଇଗୋଲା ଥାନା ଅନ୍ତର୍ଗତ ଗରିଆପାଲି ଗାଁରେ ଏକ ହୃଦୟବିଦାରକ ଘଟଣା ଆସିଛି | ଏକ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ନିଜ ସ୍ତ୍ରୀ, ବୋହୂ ଓ ୪ ବର୍ଷର ନାତୁଣୀଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ମୃତକମାନେ ହେଲେ ଅଭିଯୁକ୍ତ ରମେଶ ଗରିଆଙ୍କ ସ୍ତ୍ରୀ ଗୁଲଗରିଆ, ବୋହୂ ଲିପି ମହାକୁଲ ଏବଂ ୪ ବର୍ଷର ନାତୁଣୀ ଇଶାନୀ। ପ୍ରାଥମିକ ସୂଚନା ଅନୁସାରେ, ବୁଧବାର ଘରେ କୌଣସି କାରଣକୁ ନେଇ ପାରିବାରିକ ବିବାଦ ହୋଇଥିଲା। ପରେ ରାତିରେ ରମେଶ ମଦ୍ୟପାନ କରି ଘରକୁ ଫେରି ହାତୁଡ଼ିରେ ତିନିଜଣଙ୍କୁ ଆକ୍ରମଣ କରିଥିଲେ। ପରେ ତାଙ୍କ ପୁଅ ଘରକୁ ଫେରି ମା, ସ୍ତ୍ରୀ ଓ ଝିଅଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ।
ଖବର ପାଇ କୁଣ୍ଡେଇଗୋଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ ହତ୍ୟା ମାମଲା ରୁଜୁ କରି ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି। ପ୍ରାଥମିକ ତଦନ୍ତରେ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଏହି ବର୍ବରକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଥିବା ବେଳେ, ଘଟଣାର ପ୍ରକୃତ କାରଣ ତାଙ୍କୁ ଗିରଫ କରାଯିବା ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

