ସାର ସଙ୍କଟ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, DAP ଓ ୟୁରିଆ ବଦଳରେ ବିକଳ୍ପ ସାର ବ୍ୟବହାରକୁ ଗୁରୁତ୍ୱ
ଭୁବନେଶ୍ୱର: ରାଜ୍ୟରେ ସାର ଯୋଗାଣ ସମସ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। DAP ଓ ୟୁରିଆର ବିକଳ୍ପ ସାର ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । DAP ଯୋଗାଣ ପ୍ରଭାବିତ ହୋଇଥିବାରୁ ବିକଳ୍ପ ଭାବେ କମ୍ପ୍ଲେକ୍ସ ଫର୍ଟିଲାଇଜର୍ ଏବଂ ଆମୋନିୟମ୍ ସଲଫେଟ୍ ବ୍ୟବହାରକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପ୍ରତ୍ୟେକ ଜିଲ୍ଲାର MARKFEDକୁ ଆବଶ୍ୟକତା ଅନୁଯାୟୀ ଇଣ୍ଡେଣ୍ଟ ଦାଖଲ କରିବାକୁ ମଧ୍ୟ କୁହାଯାଇଛି।
କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ , ଭାରତ ସରକାରଙ୍କ ପକ୍ଷରୁ ବିପୁଳ ପରିମାଣରେ ଆମୋନିୟମ୍ ସଲଫେଟ୍ କୃଷକ ମାନଙ୍କୁ ଯୋଗାଇ ଦିଆଯିବ। ଏହା ମୃତ୍ତିକାରେ ସଲଫର୍ ଅଭାବ ଦୂର କରିବା ସହ ଫସଲ ଉତ୍ପାଦନରେ ସହାୟକ ହେବ। DAPର ବିକଳ୍ପ ଭାବେ କମ୍ପ୍ଲେକ୍ସ ଫର୍ଟିଲାଇଜର୍ ବ୍ୟବହାର ଉପରେ ମଧ୍ୟ ଜୋର ଦିଆଯାଇଛି, ଯାହାଦ୍ୱାରା ଚାଷୀମାନେ ସାର ଅଭାବର ସମ୍ମୁଖୀନ ହେବେ ନାହିଁ।
ଏହି ପ୍ରସଙ୍ଗରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ଯେ, ୟୁରିଆ ଓ DAPର ବିକଳ୍ପ ସାରରେ ଆବଶ୍ୟକ ପୋଷକ ଉପାଦାନ ରହିଛି ଏବଂ ବୈଜ୍ଞାନିକ ପରୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେଣୁ ଚାଷୀଙ୍କ କୌଣସି କ୍ଷତି ହେବ ନାହିଁ। ସେ କହିଛନ୍ତି, ରାଜ୍ୟରେ ଏପର୍ଯ୍ୟନ୍ତ ୧ ଲକ୍ଷ ୮୧ ହଜାର ୮୧୦ ମେଟ୍ରିକ୍ ଟନ୍ ସାର ଉପଲବ୍ଧ ହୋଇଛି। ଚଳିତ ବର୍ଷ ଚାଷ କ୍ଷେତ୍ର ବଢ଼ିଥିବାରୁ ସାର ପାଇଁ ଚାହିଦା ବୃଦ୍ଧି ପାଇଛି। ସାରର କଳାବଜାରୀ ରୋକିବା ପାଇଁ PACSଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା ବେଳେ, ଚଳିତ ବର୍ଷ ରାଜ୍ୟରେ ସାରର କୌଣସି ଅଭାବ ହେବ ନାହିଁ ବୋଲି ମନ୍ତ୍ରୀ ଆଶ୍ୱାସନ ଦେଇଛନ୍ତି।

