ସୁଧୀର ପାତ୍ରଙ୍କ ହତ୍ୟା ମାମଲାରେ ୫୫୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହେଲା; ପୁତୁରା, ଝିଆରୀ ଓ ତାଙ୍କ ପ୍ରେମିକ ସମେତ ୧୩ ଜଣଙ୍କ ନାଁ
ବ୍ରହ୍ମପୁର: ବହୁଚର୍ଚ୍ଚିତ ଗୋପାଳପୁର ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ ଓ ହତ୍ୟା ମାମଲାରେ ପୁଲିସ ବଡ଼ ପଦକ୍ଷେପ ନେଇଛି। ଏହି ଘଟଣାରେ ୧୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ୫୫୨ ପୃଷ୍ଠାର ଚାର୍ଜସିଟ୍ ଜେଏମଏଫସି (ରୁରାଲ) କୋର୍ଟରେ ଦାଖଲ କରାଯାଇଛି। ଚାର୍ଜସିଟ୍ରେ ୬୮ ଜଣ ସାକ୍ଷୀଙ୍କ ବୟାନ ସାମିଲ କରାଯାଇଥିବାବେଳେ ତଦନ୍ତରେ ମାମଲା ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇଛି।
ପୁଲିସ ତଦନ୍ତ ଅନୁସାରେ, କାଳୁଚରଣ ପ୍ରଧାନଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଯାଇଛି। ଏହାଛଡ଼ା ମୃତକଙ୍କ ପୁତୁରା ତୁଷାର ପାତ୍ର, ଝିଆରୀ ନିବେଦିତା ପାତ୍ର, ତାଙ୍କ ପ୍ରେମିକ ନାରାୟଣ ପ୍ରଧାନଙ୍କ ସମେତ ଆଶିଷ ମହାପାତ୍ର, ସୂର୍ଯ୍ୟ ପ୍ରତାପ ସିଂ ଓରଫ ଗୋଲୁ, ମୁକେଶ ସାହୁ, ସୁମିତ ସିଂ, ରଞ୍ଜନ ମଲ୍ଲିକ, ସରୋଜ ପଣ୍ଡା, ଜିତେନ ପଳାଇ, ଶୁଭମ ଗୌଡ଼ ଓ ଶୁଭମ ନାୟକଙ୍କୁ ଅଭିଯୁକ୍ତ ଭାବେ ଚାର୍ଜସିଟ୍ରେ ସାମିଲ କରାଯାଇଛି। ପୁଲିସର ଅଭିଯୋଗ ଅନୁସାରେ, ଅଭିଯୁକ୍ତମାନେ ସୁଧୀର ପାତ୍ରଙ୍କୁ ଅପହରଣରୁ ମୁକ୍ତ କରିବା ପାଇଁ ବନ୍ଧୁକ ଦେଖାଇ ୨ କୋଟି ଟଙ୍କା ଦାବି କରିଥିଲେ। ଦାବି ପୂରଣ ନ ହେବାରୁ ତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରାଯାଇଥିବା ଚାର୍ଜସିଟ୍ରେ ଉଲ୍ଲେଖ ରହିଛି। ଅଭିଯୁକ୍ତମାନଙ୍କ ବିରୋଧରେ ଅପହରଣ, ହତ୍ୟା, ଆପରାଧିକ ଷଡ଼ଯନ୍ତ୍ର ଏବଂ ପ୍ରମାଣ ନଷ୍ଟ କରିବା ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି।
ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୧୫ ତାରିଖରେ ସୁଧୀର ପାତ୍ର ଭବାନୀପୁରରୁ ଭଲିବଲ ଖେଳି ଘରକୁ ଫେରୁଥିବା ବେଳେ ଗୋପାଳପୁର ଥାନା ଅଞ୍ଚଳରୁ ତାଙ୍କୁ ଅପହରଣ କରାଯାଇଥିଲା। ପରେ ପୁଲିସ ପର୍ଯ୍ୟାୟକ୍ରମେ ୧୩ ଜଣଙ୍କୁ ଗିରଫ କରିଥିଲା। ରାଜସ୍ଥାନରୁ ଟ୍ରାନଜିଟ୍ ରିମାଣ୍ଡରେ ଆଣୁଥିବା ସମୟରେ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା ପୁଲିସ ହେପାଜତରୁ ଖସିଯିବାକୁ ଉଦ୍ୟମ କରିବାରୁ ପୁଲିସ ଏନକାଉଣ୍ଟରରେ ଉଭୟ ଆହତ ହୋଇଥିଲେ। ତଦନ୍ତକାରୀ ଅଧିକାରୀ ତଥା ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ପରିଡ଼ା କହିଛନ୍ତି, ଆବଶ୍ୟକ ପଡ଼ିଲେ ଏହି ମାମଲାରେ ପରବର୍ତ୍ତୀ ତଦନ୍ତ ମଧ୍ୟ ଜାରି ରହିବ।

