ପାଠ୍ୟପୁସ୍ତକ ତ୍ରୁଟି ମାମଲା: ହାଇକୋର୍ଟରେ ଆଗୁଆ ୪ ଜଣ କଲେ ଜାମିନ ପାଇଁ ଆବେଦନ
କଟକ: ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ମାମଲାକୁ ନେଇ ତଦନ୍ତ ଜୋରଦାର ହେଉଥିବା ବେଳେ ଆଉ ଚାରି ଜଣ ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି। ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ପାଇଁ ଦିଲ୍ଲୀପ କୁମାର ସାହୁ, ପ୍ରଲିପ୍ତା ମିଶ୍ର, ଭାରତୀ ଟୁଡୁ ଏବଂ କିଶୋର କୁମାର କର ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ଅନୁସାରେ, ଆବେଦନକାରୀମାନଙ୍କ ମଧ୍ୟରେ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT)ର ବରିଷ୍ଠ ଅଧିକାରୀମାନେ ରହିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢୀଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ। ଏହାପୂର୍ବରୁ ପ୍ରକାଶନୀ ସଂସ୍ଥାର ଅନୁପମ ଘୋଷ ଏବଂ ଅସୀମ କୁମାର ଘୋଷ ମଧ୍ୟ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ, ଯାହା ବର୍ତ୍ତମାନ ବିଚାରାଧୀନ ରହିଛି।
ଉଲ୍ଲେଖଯୋଗ୍ୟ ଯେ, ପାଠ୍ୟପୁସ୍ତକ ତ୍ରୁଟି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଗତ ସପ୍ତାହରେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢୀଙ୍କୁ ଗିରଫ କରିଥିଲା। ମାମଲାର ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନରେ ଆହୁରି କିଛି ପଦକ୍ଷେପ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।

