ଆଜି ତିନି ରଥର ‘ଦକ୍ଷିଣ ମୋଡ଼’; ବାହୁଡ଼ା ଯାତ୍ରା ପାଇଁ ନାକଚଣା ଦ୍ୱାର ଅଭିମୁଖେ ମୋଡ଼ାଯିବ
ପୁରୀ: ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପରମ୍ପରା ଭାବେ ଆଜି ତିନିରଥର ‘ଦକ୍ଷିଣ ମୋଡ଼’ ହୋଇଛି । ହେରାପଞ୍ଚମୀ ନୀତି ସମାପନ ପରେ ବାହୁଡ଼ା ଯାତ୍ରା ପାଇଁ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ତିନି ରଥକୁ ନାକଚଣା ଦ୍ୱାର ଅଭିମୁଖେ ମୋଡ଼ାଯିବ।
ଦକ୍ଷିଣ ମୋଡ଼ ସମୟରେ ରଥ ଟଣାର ବିଧି ସାଧାରଣ ରଥଯାତ୍ରାଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଥାଏ। ସାଧାରଣତଃ ରଥକୁ କେବଳ ସମ୍ମୁଖ ପାର୍ଶ୍ୱରୁ ଟଣାଯାଉଥିବାବେଳେ, ଏହି ନୀତିରେ ରଥର ଆଗ ଓ ପଛ ଉଭୟ ପାର୍ଶ୍ୱରେ ଦଉଡ଼ି ବାନ୍ଧି ମୋଡ଼ାଯାଏ। ଆଉ ଏକ ବିଶେଷ ପରମ୍ପରା ହେଉଛି, ରଥଯାତ୍ରା ଓ ବାହୁଡ଼ା ଦିନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପ୍ରଥମେ ଟଣାଯାଉଥିବାବେଳେ, ଦକ୍ଷିଣ ମୋଡ଼ ସମୟରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ, ପରେ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମୋଡ଼ାଯାଏ।
ତିନି ରଥ ନାକଚଣା ଦ୍ୱାର ନିକଟରେ ପହଞ୍ଚିବା ପରେ ବାହୁଡ଼ା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବ। ଏହି ଅପୂର୍ବ ପରମ୍ପରାକୁ ଦେଖିବା ପାଇଁ ଶରଧାବାଲିରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି । ଭିଡକୁ ଧ୍ୟାନରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା, ଟ୍ରାଫିକ୍ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

