CMOରୁ ନିଖୋଜ ରିପୋର୍ଟ ମାମଲା: ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ପୋଲିସର ନୋଟିସ, ୨୫ ତାରିଖରେ ହାଜର ନିର୍ଦ୍ଦେଶ
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (CMO)ରୁ ଦୁଇଟି ସମ୍ବେଦନଶୀଳ ତଦନ୍ତ ରିପୋର୍ଟ ନିଖୋଜ ଘଟଣାର ତଦନ୍ତରେ ନୂଆ ମୋଡ଼ ଆସିଛି। ଏହି ମାମଲାରେ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଭୁବନେଶ୍ୱର କ୍ୟାପିଟାଲ ଥାନା ପକ୍ଷରୁ ନୋଟିସ ଜାରି କରାଯାଇଛି। ନୋଟିସରେ ଆସନ୍ତା ୨୫ ତାରିଖ ଶନିବାର ସକାଳ ୧୧ଟାରେ ଭୁବନେଶ୍ୱରସ୍ଥିତ ଏସିପି ଜୋନ୍–୧ କାର୍ଯ୍ୟାଳୟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି।
କ୍ୟାପିଟାଲ ଥାନା ପୋଲିସ କହିଛି, ଏହି ମାମଲାର ତଦନ୍ତ ପାଇଁ ପାଣ୍ଡିଆନଙ୍କୁ ପଚରାଉଚରା କରିବା ଆବଶ୍ୟକ ଥିବାରୁ ତାଙ୍କୁ ନୋଟିସ ପଠାଯାଇଛି। ଗୃହ ବିଭାଗର ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ସରକାରୀ ଅଭିଲେଖରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ ରିପୋର୍ଟ ମିଳୁନଥିବା ଘଟଣାକୁ ନେଇ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ନିଖୋଜ ହୋଇଥିବା ଦଲିଲ ମଧ୍ୟରେ ୨୦୦୮ କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ସମ୍ପର୍କିତ ଜଷ୍ଟିସ ଏ.ଏସ୍. ନାଇଡୁ କମିଶନଙ୍କ ରିପୋର୍ଟ ଏବଂ ୨୦୧୬ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ଆରଡିସିଙ୍କ ତଦନ୍ତ ରିପୋର୍ଟ ରହିଛି। ଏହି ଦୁଇଟି ରିପୋର୍ଟ ନିଖୋଜ ଘଟଣାର ତଦନ୍ତ ଜାରି ରହିଛି।

