Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଭୀର ସେଫ୍ଟିକ୍ ଟାଙ୍କିରେ ଫସିଥିବା କୁକୁରକୁ ବଞ୍ଚାଇଲେ ଯୁବକ! ଜୀବନ ପ୍ରତି ବିପଦ ସତ୍ତ୍ୱେ କଲେ ଉଦ୍ଧାର

ସମ୍ବଲପୁର: ସମ୍ବଲପୁରରେ ମାନବିକତାର ଏକ ନିଆରା ଉଦାହରଣ ସାମ୍ନାକୁ ଆସିଛି। ନିର୍ମାଣାଧୀନ ଏକ ବିଲ୍ଡିଂର ଗଭୀର ସେଫ୍ଟିକ୍ ଟାଙ୍କିରେ ଫସିଯାଇଥିବା ଦୁଇଟି ବୁଲା କୁକୁରଙ୍କୁ ଉଦ୍ଧାର କରିବା ପାଇଁ ଜଣେ ଯୁବକ ନିଜ ଜୀବନକୁ ବାଜି ଲଗାଇଥିଲେ। ଦୀର୍ଘ ସମୟର ପରିଶ୍ରମ ପରେ ସେ ଦୁଇ କୁକୁରକୁ ସୁରକ୍ଷିତ ଭାବେ ବାହାରକୁ ଆଣିବାରେ ସଫଳ ହୋଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଯୁବକଙ୍କ ସାହସ ଓ ମାନବିକତାର ଭୂୟସୀ ପ୍ରଶଂସା କରାଯାଉଛି।

ସୂଚନା ଅନୁଯାୟୀ, ସମ୍ବଲପୁରର ବୁଢ଼ାରଜା ଅଞ୍ଚଳରେ ଥିବା ଏକ ନିର୍ମାଣାଧୀନ ବିଲ୍ଡିଂର ଗଭୀର ସେଫ୍ଟିକ୍ ଟାଙ୍କିରେ ଗତକାଲିଠାରୁ ଦୁଇଟି ବୁଲା କୁକୁର ପଡ଼ି ରହିଥିଲେ। ଟାଙ୍କିଟି ଅତ୍ୟନ୍ତ ଗଭୀର ଥିବାରୁ ସେମାନେ ବାହାରକୁ ଆସିପାରୁନଥିଲେ ଏବଂ ରାତିସାରା ବିକଳ ସ୍ୱରରେ ଚିତ୍କାର କରୁଥିଲେ। ଖବର ପାଇ ଗୁରୁବାର ସକାଳେ ଆହତ ଓ ଅସହାୟ ପଶୁପକ୍ଷୀଙ୍କ ସେବା ପାଇଁ ପରିଚିତ କେଶବ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଜ ସୁରକ୍ଷାକୁ ଅଣଦେଖା କରି ସେ ଟାଙ୍କି ଭିତରକୁ ଓହ୍ଲାଇ ଦୀର୍ଘ ସମୟ ଧରି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ।

ପ୍ରାୟ ଅନେକ ଘଣ୍ଟାର ଉଦ୍ୟମ ପରେ କୁକୁରମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଉଦ୍ଧାରର ପ୍ରାୟ ଚାରି ଘଣ୍ଟା ପରେ କେଶବ ମିଶ୍ର ପୁଣିଥରେ କୁକୁରମାନଙ୍କୁ ଦେଖିବାକୁ ଯାଇଥିବାବେଳେ ଏକ ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜୀବନ ବଞ୍ଚାଇଥିବା ଯୁବକଙ୍କୁ ଦେଖି କୁକୁରଟି ଦୌଡ଼ି ଆସି ତାଙ୍କ ପ୍ରତି ସ୍ନେହ ପ୍ରକାଶ କରିଥିଲା, ଯାହାକୁ ଦେଖି ଉପସ୍ଥିତ ଲୋକେ ଭାବବିହ୍ୱଳ ହୋଇପଡ଼ିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକମାନେ ମଧ୍ୟ ସହଯୋଗ କରିଥିଲେ। ଏହାସହ ଏଭଳି ଘଟଣାର ପୁନରାବୃତ୍ତି ନ ହେବାକୁ କେଶବ ମିଶ୍ର ସମସ୍ତଙ୍କୁ ନିର୍ମାଣାଧୀନ ସ୍ଥାନର ସେଫ୍ଟିକ୍ ଟାଙ୍କି ଓ ଗଭୀର ଗର୍ତ୍ତ ଖୋଲା ନ ରଖିବାକୁ ଅନୁରୋଧ କରିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories