ଡିଭାଇଡରରେ ଧକ୍କା ହେଲା ୧୦୮ ଆମ୍ବୁଲାନ୍ସ; ଦୁଇ କର୍ମଚାରୀ ଆହତ, ମେଡିକାଲରେ ଭର୍ତ୍ତି
ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଖଣ୍ଡିତର ଛକ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡରକୁ ଧକ୍କା ଦେବାରୁ ଏଥିରେ ଥିବା ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ ଘଟଣା ସମୟରେ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି।
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଆମ୍ବୁଲାନ୍ସଟି କଟକରେ ଜଣେ ରୋଗୀଙ୍କୁ ଛାଡ଼ି ଭଦ୍ରକ ଅଭିମୁଖେ ଫେରୁଥିଲା। ଖଣ୍ଡିତର ଛକ ନିକଟରେ ପହଞ୍ଚିବା ବେଳେ ହଠାତ୍ ଚାଳକ ଗାଡ଼ିର ଭାରସାମ୍ୟ ହରାଇଥିଲେ। ଫଳରେ ଆମ୍ବୁଲାନ୍ସଟି ସିଧାସଳଖ ଡିଭାଇଡରରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସର ଆଗ ଅଂଶ କ୍ଷତିଗ୍ରସ୍ତ ହେବା ସହ ଭିତରେ ଥିବା ଦୁଇ କର୍ମଚାରୀ ଆହତ ହୋଇଥିଲେ।
ଘଟଣା ଖବର ପାଇ କୁଆଖିଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲା। ଆହତ ଦୁଇ କର୍ମଚାରୀଙ୍କୁ ଅନ୍ୟ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲକୁ ପଠାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଥିଲା, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

