Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ଅଧିକାରୀଙ୍କ ବିଦେଶ ଗସ୍ତ ଉପରେ କଡ଼ା କଟକଣା; ଏଣିକି ୨୧ ଦିନ ପୂର୍ବରୁ ସରକାରୀ ଅନୁମତି ବାଧ୍ୟତାମୂଳକ

ଭୁବନେଶ୍ୱର: ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିଦେଶ ଗସ୍ତ ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବ୍ୟକ୍ତିଗତ କାରଣରେ ଓଡ଼ିଶା ବାହାରକୁ କିମ୍ବା ବିଦେଶ ଯାତ୍ରା କରିବାକୁ ହେଲେ ଏଣିକି ଅତି କମରେ ୨୧ ଦିନ ପୂର୍ବରୁ ସମ୍ପୃକ୍ତ ବିଭାଗର ଅନୁମତି ନେବା ବାଧ୍ୟତାମୂଳକ ହେବ। ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ଯାତ୍ରା କଲେ ସମ୍ପୃକ୍ତ ଅଧିକାରୀ କିମ୍ବା କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅର୍ଥ ବିଭାଗ ସ୍ପଷ୍ଟ କରିଛି।

ଅର୍ଥ ବିଭାଗର ଅତିରିକ୍ତ ସଚିବ ସାଗରିକା ହୋତା ବିଭିନ୍ନ ବିଭାଗର ମୁଖ୍ୟଙ୍କୁ ଏନେଇ ପତ୍ର ଲେଖି ଅବଗତ କରାଇଛନ୍ତି। ପତ୍ରରେ କୁହାଯାଇଛି ଯେ, କୌଣସି ସରକାରୀ କର୍ମଚାରୀ ବ୍ୟକ୍ତିଗତ କାରଣରେ ଓଡ଼ିଶା ବାହାରକୁ କିମ୍ବା ବିଦେଶ ଯିବା ପୂର୍ବରୁ ସାଧାରଣ ଛୁଟି (କାଜୁଆଲ୍ ଲିଭ୍ ବ୍ୟତୀତ) ମଞ୍ଜୁର କରାଇବା ସହ ମୁଖ୍ୟାଳୟ ଛାଡ଼ିବା ପାଇଁ ମଧ୍ୟ ପୂର୍ବ ଅନୁମତି ନେବା ଆବଶ୍ୟକ। କିନ୍ତୁ ଲକ୍ଷ୍ୟ କରାଯାଇଛି ଯେ, କେତେକ ଅଧିକାରୀ ଓ କର୍ମଚାରୀ ପୂର୍ବ ଅନୁମତି ନ ନେଇ କିମ୍ବା ଅତି କମ୍ ସମୟ ପୂର୍ବରୁ ଛୁଟି ଆବେଦନ କରି ବିଦେଶ ଯାତ୍ରା କରୁଛନ୍ତି, ଯାହା ଫଳରେ ପ୍ରଶାସନିକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅର୍ଥ ବିଭାଗ ନୂଆ ନିର୍ଦ୍ଦେଶନାମା ଜାରି କରିଛି। ବ୍ୟକ୍ତିଗତ କାରଣରେ ଓଡ଼ିଶା ବାହାରକୁ କିମ୍ବା ବିଦେଶ ଯିବାକୁ ହେଲେ ଅତି କମରେ ୨୧ ଦିନ ପୂର୍ବରୁ ଛୁଟି ଓ ମୁଖ୍ୟାଳୟ ଛାଡ଼ିବା ପାଇଁ ଆବେଦନ କରିବାକୁ ପଡ଼ିବ। କେବଳ ଜରୁରୀ ପରିସ୍ଥିତିରେ ଏହି ନିୟମର ବ୍ୟତିକ୍ରମ ହୋଇପାରିବ। ଛୁଟି ଓ ମୁଖ୍ୟାଳୟ ଛାଡ଼ିବାର ଅନୁମତି ମିଳିବା ପରେ ହିଁ ଯାତ୍ରା କରିବାକୁ ପଡ଼ିବ ବୋଲି ଅର୍ଥ ବିଭାଗ ସ୍ପଷ୍ଟ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories