Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍ତର ଓଡ଼ିଶା ମୁହାଁ ଅବପାତ: ୨ ଦିନ ପ୍ରବଳ ବର୍ଷା, ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି | ଘଣ୍ଟାପ୍ରତି ପ୍ରାୟ ୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଅଗ୍ରସର ହେଉଥିବା ଏହି ଅବପାତ ଆହୁରି ଶକ୍ତିଶାଳୀ ହୋଇ ଗଭୀର ଅବପାତରେ ପରିଣତ ହେବା ସହ ସୋମବାର ପୂର୍ବାହ୍ଣରେ ଚାନ୍ଦବାଲି ଓ କେନିଙ୍ଗ୍‌ ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଅବପାତର ପ୍ରଭାବରେ ବଙ୍ଗୋପସାଗର ଓ ସଂଲଗ୍ନ ଉପକୂଳ ସମୁଦ୍ର ଅଶାନ୍ତ ରହିଛି। ବର୍ତ୍ତମାନ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହୁଥିବାବେଳେ ଝଟକା ପବନର ବେଗ ୬୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଛି। ସୋମବାର ପୂର୍ବାହ୍ଣ ସୁଦ୍ଧା ଏହା ୫୫ରୁ ୬୫ କିଲୋମିଟର ଏବଂ ଝଟକା ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏହି ପରିସ୍ଥିତିକୁ ନଜରରେ ରଖି ୨୯ ତାରିଖ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳକୁ ମତ୍ସ୍ୟଜୀବୀଙ୍କ ଯିବା ଉପରେ କଟକଣା ଜାରି କରାଯାଇଛି। ସେହିପରି ସତର୍କତାମୂଳକ ପଦକ୍ଷେପ ଭାବେ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଅବପାତ ସହ ସକ୍ରିୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବରେ ଆସନ୍ତା ପାଞ୍ଚ ଦିନ ଧରି ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିବ। ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାକୁ ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ପରବର୍ତ୍ତୀ ୨୪ ଘଣ୍ଟାରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ମଧ୍ୟ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ବାଲେଶ୍ୱର, ଭଦ୍ରକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ସମେତ ଅନେକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଚାଷଜମି, ଉଦ୍ୟାନ ଫସଲ, ଛୋଟ ଜାହାଜ, ଟ୍ରଲର ଚଳାଚଳ, ସଡ଼କ ଓ ରେଳ ଯାତାୟାତ ପ୍ରଭାବିତ ହେବା ସହ କେତେକ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ଥିବାରୁ ପ୍ରଶାସନ ସତର୍କ ରହିବାକୁ ପରାମର୍ଶ ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories