Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖୁସିଖବର! ୭୧ଟି ସରକାରୀ ହାଇସ୍କୁଲରେ ଆରମ୍ଭ ହେବ ଯୁକ୍ତ ଦୁଇ ପାଠପଢ଼ା

ଭୁବନେଶ୍ୱର: ଓଡ଼ିଶାର ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚମାଧ୍ୟମିକ ଶିକ୍ଷାକୁ ଆହୁରି ସହଜ କରିବାକୁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ୭୧ଟି ସରକାରୀ ହାଇସ୍କୁଲରେ ଯୁକ୍ତ ଦୁଇ ପାଠପଢ଼ା ଆରମ୍ଭ ହେବ। ସମଗ୍ର ଶିକ୍ଷା ଯୋଜନା ଅଧୀନରେ କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଅନୁମୋଦନ ବୋର୍ଡ (PAB) ପକ୍ଷରୁ ଏହି ପ୍ରସ୍ତାବକୁ ଗ୍ରୀନ ସିଗନାଲ ମିଳିଛି । ଏଥିପାଇଁ ମୋଟ ୧୪୦ କୋଟି ୭୩ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟକୁ ମଧ୍ୟ ମଞ୍ଜୁର କରାଯାଇଛି।

ନୂଆ ବ୍ୟବସ୍ଥା ଅନୁଯାୟୀ ୬୦ଟି ବିଦ୍ୟାଳୟରେ କଳା ବିଭାଗ ଏବଂ ୧୧ଟି ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲାଯିବ। ଏହା ଫଳରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଆଉ ଉଚ୍ଚମାଧ୍ୟମିକ ଶିକ୍ଷା ପାଇଁ ଦୂର ସହରକୁ ଯିବାକୁ ପଡ଼ିବ ନାହିଁ। ନିଜ ଅଞ୍ଚଳରେ ରହି ସେମାନେ ଯୁକ୍ତ ଦୁଇ ପାଠପଢ଼ାର ସୁବିଧା ପାଇପାରିବେ।

ଏନେଇ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି କେନ୍ଦ୍ରର ଅନୁମୋଦନ ସମ୍ପର୍କରେ ଅବଗତ କରାଇଛନ୍ତି। ଜିଲ୍ଲାପାଳ ତଥା ସମଗ୍ର ଶିକ୍ଷାର ଜିଲ୍ଲା ଅଧ୍ୟକ୍ଷମାନଙ୍କ ସୁପାରିସ ଆଧାରରେ ଏହି ବିଦ୍ୟାଳୟଗୁଡ଼ିକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରିବାକୁ ପିଏବି ଚୂଡ଼ାନ୍ତ ମଞ୍ଜୁରି ଦେଇଛି। ଏହି ନିଷ୍ପତ୍ତି ରାଜ୍ୟରେ ଉଚ୍ଚମାଧ୍ୟମିକ ଶିକ୍ଷାର ପହଞ୍ଚ ବଢ଼ାଇବା ସହ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ଶିକ୍ଷା ସୁଯୋଗକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories