Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବ ଶତ୍ରୁତା ନେଲା ଜୀବନ! ପଥର ମାଡ଼ରେ ଯୁବକଙ୍କ ମୃତ୍ୟୁ,୫ ଜଣଙ୍କୁ ଅଟକ ରଖିଲା ପୁଲିସ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ବାଘମୁଣ୍ଡ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପଥର ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି। ମୃତକଙ୍କ ପରିଚୟ ମକୁନ୍ଦ ସାହୁ ଭାବେ ହୋଇଛି।

ଅଭିଯୋଗ ଅନୁସାରେ, ଗତ ରଥଯାତ୍ରା ସମୟରେ ହୋଇଥିବା ଏକ ବିବାଦକୁ ନେଇ ଉଭୟ ପକ୍ଷ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ମକୁନ୍ଦ ସାହୁଙ୍କ ଘର ଉପରକୁ ହଠାତ୍ ପଥର ମାଡ଼ କରିଥିଲେ। ସେତେବେଳେ ପରିବାର ସଦସ୍ୟମାନେ ଘରେ ଶୋଇଥିଲେ। ଶବ୍ଦ ଶୁଣି ମକୁନ୍ଦ କବାଟ ଖୋଲି ବାହାରକୁ ଆସିବା ସମୟରେ ତାଙ୍କ ଛାତିରେ ଏକ ବଡ଼ ପଥର ବାଜିଥିବା ଅଭିଯୋଗ ରହିଛି। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା।

ଘଟଣାର ଖବର ପାଇ ଲରମ୍ଭା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ସନ୍ଦେହ ଆଧାରରେ ୫ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବାବେଳେ ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories