ଏସିଏଫ ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ବଡ଼ ମୋଡ଼; ଅଦାଲତରେ ଆତ୍ମସମର୍ପଣ କଲେ ପୂର୍ବତନ ଡିଏଫଓ ସଂଗ୍ରାମ କେଶରୀ ବେହେରା
ଗଜପତି: ବହୁଚର୍ଚ୍ଚିତ ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ସୋମବାର ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ତତ୍କାଳୀନ ଗଜପତି ଜିଲ୍ଲା ବନ ଅଧିକାରୀ (ଡିଏଫଓ) ସଂଗ୍ରାମ କେଶରୀ ବେହେରା ପାରଳାଖେମୁଣ୍ଡି ଏସଡିଜେଏମ୍ (SDJM) କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ବିରୋଧରେ ଅଦାଲତ ପକ୍ଷରୁ ଜାରି ହୋଇଥିବା ଗିରଫ ପରୱାନା ପରେ ସେ ନିଜ ଓକିଲଙ୍କ ଜରିଆରେ କୋର୍ଟରେ ହାଜର ହୋଇ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ଦୀର୍ଘଦିନ ଧରି ଚର୍ଚ୍ଚିତ ଏହି ମାମଲା ପୁଣିଥରେ ରାଜ୍ୟରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।
ଆତ୍ମସମର୍ପଣ ପରେ ସଂଗ୍ରାମ କେଶରୀ ବେହେରା ଏସଡିଜେଏମ୍ ଅଦାଲତରେ ଜାମିନ ପାଇଁ ଆବେଦନ କରିଥିଲେ। ତେବେ ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପରେ ସେ ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତରେ ଜାମିନ ଆବେଦନ ଦାଖଲ କରିଥିବା ସୂଚନା ମିଳିଛି। ବର୍ତ୍ତମାନ ଏହି ଆବେଦନ ଉପରେ ଆଇନଗତ ପ୍ରକ୍ରିୟା ଚାଲିଥିବାବେଳେ ଅଦାଲତଙ୍କ ପରବର୍ତ୍ତୀ ନିଷ୍ପତ୍ତିକୁ ନେଇ ସମସ୍ତଙ୍କ ନଜର ରହିଛି।
ସୂଚନାଯୋଗ୍ୟ, ସଂଗ୍ରାମ କେଶରୀ ବେହେରାଙ୍କ ପକ୍ଷରୁ ଦାଖଲ ହୋଇଥିବା CRLMC ନଂ–୪୦୫୬/୨୦୨୫ ମାମଲାର ଶୁଣାଣି ସମୟରେ ଓଡ଼ିଶା ହାଇକୋର୍ଟ ଗତ ୧୪ ଜୁଲାଇ ୨୦୨୬ରେ ତାଙ୍କୁ ତଳ ଅଦାଲତରେ ଆତ୍ମସମର୍ପଣ ପାଇଁ ଆଉ ଦୁଇ ସପ୍ତାହ ସମୟ ପ୍ରଦାନ କରିଥିଲେ। ସେହିସହିତ ଆତ୍ମସମର୍ପଣ ଦିନ ହିଁ ତାଙ୍କ ଜାମିନ ଆବେଦନ ଉପରେ ବିଚାର କରିବାକୁ ତଳ ଅଦାଲତକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେ ଅଦାଲତରେ ହାଜର ହୋଇ ଆତ୍ମସମର୍ପଣ କରିଛନ୍ତି।
୨୦୨୧ ଜୁଲାଇରେ ଗଜପତି ଜିଲ୍ଲାରେ କାର୍ଯ୍ୟରତ ସହକାରୀ ବନ ସଂରକ୍ଷକ (ଏସିଏଫ) ସୋମ୍ୟରଞ୍ଜନ ମହାପାତ୍ରଙ୍କ ସରକାରୀ ବାସଭବନରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା। ତଦନ୍ତ ପ୍ରକ୍ରିୟାରେ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଭୂମିକାକୁ ନେଇ ମଧ୍ୟ ବିଭିନ୍ନ ପ୍ରଶ୍ନ ଉଠିଥିଲା। ଘଟଣାର ତଦନ୍ତ ଓ ଆଇନଗତ ପ୍ରକ୍ରିୟା ଦୀର୍ଘଦିନ ଧରି ବିଭିନ୍ନ ପର୍ଯ୍ୟାୟରେ ଚାଲିଆସୁଥିବାବେଳେ, ପୂର୍ବତନ ଡିଏଫଓଙ୍କ ଆତ୍ମସମର୍ପଣ ଏହି ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ବୋଲି ମନେ କରାଯାଉଛି।

