ବାଲିଅନ୍ତା ହତ୍ୟା ଘଟଣାରେ ନୂଆ ମୋଡ଼: ସୌମ୍ୟଙ୍କ ମୋବାଇଲରୁ ମିଳିଲା ଚାଞ୍ଚଲ୍ୟକର ଭିଡିଓ, ଷଡ଼ଯନ୍ତ୍ର ରଚାଯାଇଥିବା ସନ୍ଦେହ
ଭୁବନେଶ୍ୱର: ବାଲିଅନ୍ତା ଭିଡ଼ ହିଂସାରେ ପ୍ରାଣ ହରାଇଥିବା ଜିଆର୍ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ମାମଲାରେ ଏବେ ନୂଆ ମୋଡ଼ ଆସିଛି। ସୌମ୍ୟଙ୍କ ମୋବାଇଲ୍ରୁ ମିଳିଥିବା ତିନୋଟି ଭିଡିଓ କ୍ରାଇମ୍ବ୍ରାଞ୍ଚ ହାତରେ ଲାଗିଛି, ଯେଉଁଥିରେ ସେ ନିଜ ବିରୋଧରେ ଷଡ଼ଯନ୍ତ୍ର ହେଉଥିବା ଆଶଙ୍କା ପ୍ରକାଶ କରିଥିବା ଦେଖାଯାଇଛି। ଭିଡିଓରେ ସେ କହୁଛନ୍ତି, “ସମସ୍ତେ ଲାଗିଛନ୍ତି ମତେ ଫସେଇବାକୁ। ମୋ ନାଁରେ କେସ୍ ଦେଇଦେବେ। ମୋର ଇଜ୍ଜତକୁ ଭାରି ଡର। ଭଗବାନ ମତେ ବଞ୍ଚାଇ ଦିଅନ୍ତୁ। ମୋ ଫୋନ୍ ଟ୍ରାକିଂ କରାଯାଉଛି।” ଏହି ଭିଡିଓଗୁଡ଼ିକୁ ଯାଞ୍ଚ ପାଇଁ କ୍ରାଇମ୍ବ୍ରାଞ୍ଚ ରସୁଲଗଡ଼ସ୍ଥିତ ରାଜ୍ୟ ଫରେନସିକ୍ ସାଇନ୍ସ ଲାବରେଟରିକୁ ପଠାଇଛି।
ତଦନ୍ତରୁ ଜଣାପଡ଼ିଛି ଯେ, ହତ୍ୟାକାଣ୍ଡ ଘଟିଥିବା ଦିନ ସକାଳେ ସୌମ୍ୟ ଅଡ଼ଶପୁରରେ ଥିବା ଏକ ଭଡ଼ାଘରରେ ଏହି ଭିଡିଓଗୁଡ଼ିକ ରେକର୍ଡ କରିଥିଲେ। ଏକ ଭିଡିଓରେ ସେ ତତ୍କାଳୀନ ଏଡିଜି ଦୟାଲ ଗଙ୍ଗୱାରଙ୍କୁ ଭୁଲ୍ ମାଗିବାକୁ ଯିବା କଥା କହୁଥିବାବେଳେ, ଅନ୍ୟ ଏକ ଭିଡିଓରେ ନିଜ ପ୍ରେମିକାଙ୍କ ସହ ବିବାଦ ଏବଂ ନିଜ ବିରୋଧରେ ଚାଲିଥିବା କଥିତ ଷଡ଼ଯନ୍ତ୍ର ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ସମସ୍ତ ଭିଡିଓ ଏବେ ତଦନ୍ତର ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ବିବେଚନା କରାଯାଉଛି।
ସୂଚନା ଅନୁସାରେ, ମେ’ ୭ ତାରିଖ ଭୋର ପ୍ରାୟ ୪ଟାରେ ସୌମ୍ୟ ନିଜର କିଛି ଘନିଷ୍ଠ ବନ୍ଧୁଙ୍କୁ ଫୋନ୍ କରି ଜିମ୍କୁ ଡାକିଥିଲେ ଏବଂ ଜରୁରୀ କଥା ଥିବା କହିଥିଲେ। ବନ୍ଧୁମାନେ ତୁରନ୍ତ ନଆସିବାରୁ ସେ କହିଥିଲେ, “ଏବେ ନଆସିଲେ କ’ଣ ମଲା ପରେ ଆସିବ?” ପରେ ତାଙ୍କ ବାପା-ମା’ ଓ କିଛି ବନ୍ଧୁ ସେଠାରେ ପହଞ୍ଚିଥିଲେ। ହେଲେ ବନ୍ଧୁମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଯିବାରୁ ସୌମ୍ୟ ଯାହା କହିବାକୁ ଚାହୁଁଥିଲେ, ତାହା କହିପାରିନଥିଲେ। ଏହାପରେ ସେ ବନ୍ଧୁ ଓମ୍ ପ୍ରକାଶ ରାଉତଙ୍କ ବାଇକ୍ରେ ଭୁବନେଶ୍ୱର ଅଭିମୁଖେ ବାହାରିଥିବା ବେଳେ ବାଲିଅନ୍ତା ନିକଟରେ ଭିଡ଼ ହିଂସାର ଶିକାର ହୋଇ ପ୍ରାଣ ହରାଇଥିଲେ। ନୂତନ ଭିଡିଓ ସାମ୍ନାକୁ ଆସିବା ପରେ ଏହି ମୃତ୍ୟୁ ମାମଲାରେ ଷଡ଼ଯନ୍ତ୍ର ଆଶଙ୍କା ଆହୁରି ଜୋରଦାର ହୋଇଛି ଏବଂ କ୍ରାଇମ୍ବ୍ରାଞ୍ଚ ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି।

