ମଞ୍ଚେଶ୍ୱରରେ ଚାଞ୍ଚଲ୍ୟ: ସ୍ତ୍ରୀଙ୍କ ବେକକୁ ବ୍ଲେଡରେ ବେକ କାଟି ହତ୍ୟା ପରେ ବିଷ ପିଇଲେ ସ୍ୱାମୀ, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇଶିଆଣି ସାହୁ କଲୋନୀରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ପାରିବାରିକ ବିବାଦକୁ କେନ୍ଦ୍ର କରି ସ୍ୱାମୀ ପ୍ରଦୀପ ଜେନା ନିଜ ସ୍ତ୍ରୀ ମୋନିକା ଜେନାଙ୍କୁ ବ୍ଲେଡରେ ବେକ କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତ ଘର ବାହାରେ ତାଲା ପକାଇ ସେଠାରୁ ପଳାଇଯାଇଥିଲେ। ପରେ ନିକଟସ୍ଥ ଏକ ଅଟୋରେ ବସି ବିଷ ପିଇଥିବା ଅବସ୍ଥାରେ ତାଙ୍କୁ ପୋଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ଚିକିତ୍ସା ପରେ ତାଙ୍କୁ ଗିରଫ କରାଯାଇଛି।
ପୋଲିସ ସୂଚନା ଅନୁସାରେ, ମୃତା ମୋନିକା ଓ ଅଭିଯୁକ୍ତ ପ୍ରଦୀପଙ୍କ ବିବାହ ପ୍ରାୟ ନଅ ବର୍ଷ ପୂର୍ବେ ହୋଇଥିଲା ଏବଂ ସେମାନଙ୍କର ଏକ ପୁଅ ମଧ୍ୟ ରହିଛି | ବିବାହ ପରଠାରୁ ଯୌତୁକ ନିର୍ଯାତନା ଓ ପାରିବାରିକ ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ଚାଲିଆସୁଥିଲା। ଏନେଇ ମୋନିକା ପୂର୍ବରୁ ପୋଲିସରେ ଏକାଧିକ ଅଭିଯୋଗ ଦାଖଲ କରିଥିଲେ। ପରବର୍ତ୍ତୀ ସମୟରେ ସେ ମଞ୍ଚେଶ୍ୱରରୁ ଚକେଇଶିଆଣିକୁ ଘର ବଦଳାଇ ରହୁଥିଲେ। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ କିଛି ଦିନ ଧରି ସ୍ତ୍ରୀଙ୍କ ଠିକଣା ଖୋଜୁଥିଲେ ଏବଂ ସୋମବାର ସୁଯୋଗ ପାଇ ଘରକୁ ପଶି କେହି ନଥିବା ସୁଯୋଗ ପାଇ ବ୍ଲେଡରେ ବେକ କାଟି ଏଭଳି ହତ୍ୟାକାଣ୍ଡ ଘଟାଇଥିଲେ।
ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ, ଜୋନ୍ ଏସିପି ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ସାକ୍ଷ୍ୟ ସଂଗ୍ରହ କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବାବେଳେ ହତ୍ୟା ମାମଲା ରୁଜୁ କରି ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ପାରିବାରିକ ବିବାଦ ଏବଂ ପୂର୍ବରୁ ଦାଖଲ ହୋଇଥିବା ଅଭିଯୋଗଗୁଡ଼ିକୁ ମଧ୍ୟ ତଦନ୍ତର ପରିସରକୁ ଅଣାଯାଇଛି।

