ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ; ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଦୀଘା ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହେଉଥିବାବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଅଞ୍ଚଳ ଦେଇ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ପ୍ରଭାବ ଜାରି ରହିଛି।
ଗଭୀର ଅବପାତର ପ୍ରଭାବକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ଦେବଗଡ଼ ଜିଲ୍ଲା ପାଇଁ ଆଜି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ଏହାଛଡ଼ା ରାଜ୍ୟର ଆହୁରି ୧୨ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। କିଛି ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବା ନେଇ ମଧ୍ୟ ସତର୍କ କରାଯାଇଛି। ଏବଂ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କାଥିବାରୁ ମତ୍ସ୍ୟଜୀବୀମାନଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

