ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ! କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ସେୟାର ମାର୍କେଟ ଓ ଆର୍ଥିକ କାରବାର ତାଲିମ
ଭୁବନେଶ୍ୱର: ଏବେ କଲେଜ ଛାତ୍ରଛାତ୍ରୀ ପଢ଼ିବେ ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ, ଇନ୍ୟୁରାନ୍ସ ଓ ଆର୍ଥିକ କାରବାରର ପାଠ। ଛାତ୍ରଛାତ୍ରୀଙ୍କୁ ଆର୍ଥିକ କ୍ଷେତ୍ରରେ ଦକ୍ଷ କରିବା ସହ ରୋଜଗାର କ୍ଷମତା ବୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାର ଏଭଳି ଏକ ନୂଆ ପଦକ୍ଷେପ ନେଇଛନ୍ତି। ଏହି ଯୋଜନା ମାଧ୍ୟମରେ ସେୟାର ମାର୍କେଟ, ବ୍ୟାଙ୍କିଂ, ଇନ୍ୟୁରାନ୍ସ ଓ ଆର୍ଥିକ ସେବା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ବ୍ୟବହାରିକ ଜ୍ଞାନ ଓ ତାଲିମ ପ୍ରଦାନ କରାଯିବ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିକମ୍, ବିବିଏ, ବିଏମଏସ, ବିଏ (ଅର୍ଥଶାସ୍ତ୍ର ଓ ବାଣିଜ୍ୟ), ଏମବିଏ ଏବଂ ଏମକମ୍ ଭଳି ବିଭାଗର ଛାତ୍ରଛାତ୍ରୀଙ୍କୁ ୩୦ ଘଣ୍ଟାର ବ୍ୟବସାୟିକ ମ୍ୟୁଚୁଆଲ ଫଣ୍ଡ ସାର୍ଟିଫିକେଟ୍ କୋର୍ସ ଦିଆଯିବ। ଏହା ସହ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସିକ୍ୟୁରିଟିଜ୍ ମାର୍କେଟ୍ସ (NISM) ସାର୍ଟିଫିକେସନ୍ ପରୀକ୍ଷା ପାଇଁ ମଧ୍ୟ ସେମାନଙ୍କୁ ପ୍ରସ୍ତୁତ କରାଯିବ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ବ୍ରହ୍ମପୁର, ଭଦ୍ରକ, ଢେଙ୍କାନାଳ, ଜୟପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ରାଉରକେଲା ଓ ସମ୍ବଲପୁର ଭଳି ସହରର ୧୦୦ କିଲୋମିଟର ପରିସରରେ ଥିବା ୯୭ଟି ଚିହ୍ନଟ କଲେଜ ଓ ବିଶ୍ୱବିଦ୍ୟାଳୟରେ ଏହି ଯୋଜନା ଲାଗୁ କରାଯିବ। ଏହି ପଦକ୍ଷେପ ଦ୍ୱାରା ଛାତ୍ରଛାତ୍ରୀ ଆର୍ଥିକ କ୍ଷେତ୍ରରେ ନୂଆ ସୁଯୋଗ ପାଇବା ସହ ଚାକିରି ଓ ସ୍ୱାବଲମ୍ବୀ ହେବାର ମାର୍ଗ ପ୍ରଶସ୍ତ ହେବ ବୋଲି ଆଶା କରାଯାଉଛି।

