ଉପରମୁଣ୍ଡରେ ଲଗାଣ ବର୍ଷା; ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ଖୋଲିଲା ୨ଟି ଗେଟ୍
ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି | ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୬.୩୯ ଫୁଟରେ ପହଞ୍ଚିଥିବା ବେଳେ ଆଗାମୀ ଦିନରେ ଏହାର ମାତ୍ରା ଆହୁରି ବଢ଼ିବାର ଆଶଙ୍କା ରହିଛି। ମହାନଦୀ ଓ ଏହାର ଉପନଦୀଗୁଡ଼ିକରେ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ଡ୍ୟାମକୁ ବହୁ ପରିମାଣରେ ଜଳ ପ୍ରବେଶ କରୁଛି।
ସୂଚନା ଅନୁସାରେ, ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୩ ହଜାର ୭୧୫ କ୍ୟୁସେକ ଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଜଳସ୍ତର ନିୟନ୍ତ୍ରଣ ପାଇଁ ଡ୍ୟାମର ୨ଟି ଗେଟ୍ ଖୋଲାଯାଇଛି। ଏହି ଗେଟ୍ ଦେଇ ବର୍ତ୍ତମାନ ୬୩ ହଜାର ୯୭୦ କ୍ୟୁସେକ ବନ୍ୟାଜଳ ନିଷ୍କାସନ କରାଯାଉଛି। ଏପଟେ ତଳମୁଣ୍ଡରେ ମଧ୍ୟ ଜଳପ୍ରବାହ ବୃଦ୍ଧି ପାଇଛି। କଟକ ମୁଣ୍ଡଳିରେ ପ୍ରାୟ ୫ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ଜଣାପଡ଼ିଛି।
ଗତ ୨୪ ଘଣ୍ଟାର ବର୍ଷା ତଥ୍ୟ ମଧ୍ୟ ଚିନ୍ତା ବଢ଼ାଇଛି। ବୁର୍ଲାରେ ୧୨୧.୫ ମିଲିମିଟର ଏବଂ ହୀରାକୁଦରେ ୧୦୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଆଗାମୀ କିଛି ଦିନ ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ ଜଳସମ୍ପଦ ବିଭାଗ ଓ ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ନଦୀକୂଳବର୍ତ୍ତୀ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି।

