“ଭାଇରାଲ ଅଡିଓରେ ଗ୍ୟାଙ୍ଗଷ୍ଟର ସାଜନଙ୍କ ନାଁ; ଚାମେଲି ଓଝାଙ୍କ ଅନାସ୍ଥା ମାମଲାରେ ଆସିଲା ନୂଆ ମୋଡ଼”
ଭୁବନେଶ୍ୱର: ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଏବେ ନୂଆ ମୋଡ଼ ନେଇଛି। ଚାମେଲି ଓଝା ଓ ଜଣେ ୱାର୍ଡସଭ୍ୟାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଏକ ଅଡିଓ କ୍ଲିପ୍ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାଇରାଲ ଅଡିଓରେ ୱାର୍ଡସଭ୍ୟା ଗ୍ୟାଙ୍ଗଷ୍ଟର ସାଜନ ବେହେରାଙ୍କ ନାଁ ନେଇ ଧମକ ଦିଆଯାଇଥିବା ଅଭିଯୋଗ କରୁଥିବା ଶୁଣିବାକୁ ମିଳୁଛି।
ଅଡିଓରେ ୱାର୍ଡସଭ୍ୟା କହୁଥିବା ଦାବି କରାଯାଉଛି ଯେ, ସାଜନ ବେହେରାଙ୍କ ହସ୍ତକ୍ଷେପ ପରେ ଅନେକ ଲୋକ ଭୟରେ ଚୁପ୍ ରହିଥିଲେ। ଧମକ ଦିଆଯାଇଥିବାରୁ ଇଚ୍ଛା ନଥିଲେ ମଧ୍ୟ ଅଭିଯୋଗ କରିବାକୁ ପଡ଼ିଥିଲା ବୋଲି ସେ କହିଥିବା ଜଣାପଡ଼ିଛି। ଏହାସହ ସାଜନଙ୍କ ସହଯୋଗୀମାନେ ଘରକୁ ଆସି ଡରାଇ ଧମକାଇଥିବା ମଧ୍ୟ ଅଡିଓରେ ଉଲ୍ଲେଖ ଥିବା କୁହାଯାଉଛି।
ଚାମେଲି ଓଝା ପୂର୍ବରୁ ତାଙ୍କ ବିରୋଧରେ ହୋଇଥିବା ଅନାସ୍ଥା ପ୍ରସ୍ତାବ ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଥିଲେ। ଏବେ ଭାଇରାଲ ଅଡିଓ ସାମ୍ନାକୁ ଆସିବା ପରେ ମାମଲାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଭାଇରାଲ ଅଡିଓର ସତ୍ୟତା ନେଇ ଅଧିକାରିକ ଭାବେ କୌଣସି ସ୍ପଷ୍ଟତା ମିଳିନଥିବା ବେଳେ ଘଟଣାରେ ପ୍ରଶାସନିକ ତଦନ୍ତ ଉପରେ ନଜର ରହିଛି।

