Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ୟା ମୁକାବିଲାରେ ପ୍ରଶାସନ ଆକ୍ସନ ମୋଡ୍‌ରେ; ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନଜରରେ ରଖି ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ବନ୍ୟା ମୁକାବିଲା, ଉଦ୍ଧାର ଏବଂ ରିଲିଫ୍‌ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁସାରେ, ବନ୍ୟା ପ୍ରଭାବିତ ୮ଟି ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ଜରୁରୀ ପରିସ୍ଥିତିର ସାମ୍ନା କରିବା ପାଇଁ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି। ବର୍ତ୍ତମାନର ବନ୍ୟାରେ ଏଯାଏଁ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୨୭ରୁ ୩୦ ହଜାର ଲୋକଙ୍କୁ ବିପଦପୂର୍ଣ୍ଣ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଞ୍ଚଳରେ ଡାକ୍ତରୀ ଟିମ୍‌ ମୁତୟନ ହୋଇ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି।

ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ସମେତ ଅନ୍ୟାନ୍ୟ ଜଳଭଣ୍ଡାର ଉପରେ କଡ଼ା ନଜର ରଖାଯାଇଛି। ଆବଶ୍ୟକ ପଡ଼ିଲେ ହୀରାକୁଦର ଅଧିକ ଗେଟ୍‌ ଖୋଲାଯିବ ବୋଲି କୁହାଯାଇଛି। ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି। ଦିଲ୍ଲୀ ଗସ୍ତରେ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନିୟମିତ ଭାବେ ଫୋନ୍‌ ଯୋଗେ ବନ୍ୟା ସ୍ଥିତିର ସମୀକ୍ଷା କରୁଛନ୍ତି ଏବଂ ପ୍ରଶାସନକୁ ଆବଶ୍ୟକ ନିର୍ଦ୍ଦେଶ ଦେଉଛନ୍ତି। ପ୍ରଭାବିତ ଲୋକଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ସହ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ଯୋଗାଣକୁ ସରକାର ପ୍ରାଥମିକତା ଦେଉଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ