ବନ୍ୟା ପରିସ୍ଥିତି ପାଇଁ ଖୋର୍ଦ୍ଧାରେ ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ, ଶିକ୍ଷକଙ୍କୁ ସ୍କୁଲରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର ହେଉଥିବା ବେଳେ ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୫ଟି ଜିଲ୍ଲାର ପ୍ରାୟ ୫ ଲକ୍ଷ ୮୭ ହଜାର ୮୨୨ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ୧ ଲକ୍ଷ ୭୬ ହଜାର ୭୩ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟାଜନିତ ଘଟଣାରେ ୩ ଜଣଙ୍କ ମୃତ୍ୟୁ ସମ୍ପର୍କରେ ମଧ୍ୟ ସୂଚନା ମିଳିଛି। ମହାନଦୀର ବଢ଼ୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି କଟକ ଓ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ବନ୍ୟା ପରିସ୍ଥିତିକୁ ନଜରରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରହିବ। ଏନେଇ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଜାରି କରାଯାଇଛି। ଅଗଷ୍ଟ ୧ ତାରିଖରୁ ସ୍ଥିତି ସ୍ୱାଭାବିକ ରହିଲେ ସ୍କୁଲ୍ଗୁଡ଼ିକ ପୁନର୍ବାର ଖୋଲିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ସ୍କୁଲ୍ରେ ପାଠପଢ଼ା ବନ୍ଦ ରହିଥିଲେ ମଧ୍ୟ ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ନିୟମିତ ଭାବେ ସ୍କୁଲ୍ରେ ଉପସ୍ଥିତ ରହିବାକୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ଆଗାମୀ ଚାରି ଦିନ ପାଇଁ ସମସ୍ତ ଶିକ୍ଷକଙ୍କ ଛୁଟି ବାତିଲ କରାଯାଇଛି। ବନ୍ୟା ପ୍ରଭାବିତ ଲୋକଙ୍କ ଆଶ୍ରୟ, ରିଲିଫ୍ ବ୍ୟବସ୍ଥା ଓ ଅନ୍ୟାନ୍ୟ ଜରୁରୀ ପ୍ରଶାସନିକ କାର୍ଯ୍ୟ ପାଇଁ ସ୍କୁଲ୍ ଭବନ ଓ ଆନୁଷଙ୍ଗିକ ସୁବିଧା ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏଥିସହ ସମସ୍ତ ସ୍କୁଲ୍କୁ ୨୪ ଘଣ୍ଟା ଖୋଲା ରଖିବାକୁ ମଧ୍ୟ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି।

