ଖୋଲା ପାଇଖାନା ଟାଙ୍କିରେ ପଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ; କୋଇଡାରେ ଶୋକାକୁଳ ପରିବେଶ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ର କାଦୋଡିହା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଗୁରୁବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଖୋଲା ଥିବା ପାଇଖାନା ଟାଙ୍କିରେ ପଡ଼ି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଥିବା ବେଳେ ପରିବାର ଲୋକ ଦୁଃଖରେ ପୁରା ଭାଙ୍ଗିପଡିଛନ୍ତି |
ସୂଚନା ଅନୁସାରେ, କାଦୋଡିହା ଗ୍ରାମର ଶମ୍ବୁ ଭୂମିଜଙ୍କ ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଝିଅ ଘର ପାଖରେ ଖେଳୁଥିଲେ। ଏହି ସମୟରେ ଅସାବଧାନତାବଶତଃ ସେମାନେ ଖୋଲା ଥିବା ପାଇଖାନା ଟାଙ୍କିରେ ପଡ଼ିଯାଇଥିଲେ। ଟାଙ୍କି ଭିତରେ ଅଣନିଶ୍ୱାସି ହୋଇ ସେମାନେ ଅଚେତ ହୋଇ ଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି କୋଇଡା ଡାକ୍ତରଖାନାକୁ ନେଇଥିଲେ।
ତେବେ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ପରେ ଗାଁରେ ଶୋକର ପରିବେଶ ସୃଷ୍ଟି ହୋଇଥିବା ବେଳେ ଖୋଲା ପାଇଖାନା ଟାଙ୍କିକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଘଟଣାର ତଦନ୍ତ ସହ ଆଗାମୀ ଦିନରେ ଏଭଳି ଅଘଟଣ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

