ଦିଲ୍ଲୀ ଗସ୍ତରୁ ଫେରିବା ପରେ, ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି। ହେଲିକପ୍ଟର ଯୋଗେ ସେ କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତ ଉପରେ ପରିଦର୍ଶନ କରି ବନ୍ୟାର ପ୍ରକୃତ ସ୍ଥିତି ଅନୁଧ୍ୟାନ କରିଥିଲେ। ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାର ବନ୍ୟା ପରିସ୍ଥିତି ଉପରେ ସେ ଗୁରୁତ୍ୱ ଦେଇଥିଲେ।
ପରିଦର୍ଶନ ସମୟରେ କେଉଁ ଅଞ୍ଚଳ ଅଧିକ ଜଳବନ୍ଦୀ ହୋଇଛି, କେଉଁଠି ବନ୍ୟାର ପ୍ରଭାବ ସର୍ବାଧିକ ରହିଛି ଏବଂ କ୍ଷୟକ୍ଷତିର ପରିମାଣ କେତେ ରହିଛି, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ସଂଗ୍ରହ କରିଥିଲେ। ଏହି ଗସ୍ତରେ ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ସହାୟତା କମିଶନର (SRC) ମଧ୍ୟ ଉପସ୍ଥିତ ଥିଲେ। ସେମାନେ ବନ୍ୟାଞ୍ଚଳର ବର୍ତ୍ତମାନ ସ୍ଥିତି, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ବନ୍ୟା ପ୍ରଭାବିତ ଲୋକଙ୍କୁ ଶୀଘ୍ର ସହାୟତା ପହଞ୍ଚାଇବା ଏବଂ କ୍ଷତିଗ୍ରସ୍ତ ଅଞ୍ଚଳରେ ଆବଶ୍ୟକ ପଦକ୍ଷେପ ନେବାକୁ ସରକାର ପ୍ରାଥମିକତା ଦେଉଛନ୍ତି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ବୈଠକରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ, ରିଲିଫ୍ ବଣ୍ଟନ, ପୁନର୍ବାସ ବ୍ୟବସ୍ଥା ଏବଂ ପରବର୍ତ୍ତୀ କାର୍ଯ୍ୟଯୋଜନା ନେଇ ବିସ୍ତୃତ ଆଲୋଚନା କରାଯିବ।

