ରାଜଧାନୀରେ ବଡ଼ ଡକାୟତି; ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସୁନା-ରୁପା ଅଳଙ୍କାର ଲୁଟ୍, CCTV ହାର୍ଡଡିସ୍କ ମଧ୍ୟ ନେଇଗଲେ ଦୁର୍ବୃତ୍ତ
ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଥରେ ଏକ ବଡ଼ଧରଣର ଡକାୟତି ଘଟଣା ସାମ୍ନାକୁ ଆସିଛି। କମିଶନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରାମାନେ ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ବିଲ୍ଡରଙ୍କ ଘରେ କଳାକନା ବୁଲାଇଛନ୍ତି। ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା-ରୁପା ଅଳଙ୍କାର, ନଗଦ ଟଙ୍କା, ଦାମୀ ହାତଘଡ଼ି ଏବଂ ହୀରା ଖଚିତ ବ୍ରେସଲେଟ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହା ସହ ଘରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କକୁ ମଧ୍ୟ ସାଙ୍ଗରେ ନେଇଯାଇଛନ୍ତି।
ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ବିଲ୍ଡର ପ୍ରୀତମ ଜେନାଙ୍କ ଘରେ ଏହି ଡକାୟତି ଘଟିଥିଲା। ଦୁର୍ବୃତ୍ତମାନେ ଘରର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିବା ପରେ ଆଲମିରା ତାଡ଼ି ସୁନା ଗହଣା, ନଗଦ ଟଙ୍କା, ଦାମୀ ଘଡ଼ି ଓ ହୀରା ଖଚିତ ବ୍ରେସଲେଟ୍ ଲୁଟି ନେଇଥିଲେ। ଲୁଟ୍ ପରେ କୌଣସି ପ୍ରମାଣ ନ ରହିବା ପାଇଁ ସେମାନେ ସିସିଟିଭି ହାର୍ଡଡିସ୍କକୁ ମଧ୍ୟ ଖୋଲି ନେଇଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ପରିବାର ଲୋକେ ପୁଲିସକୁ ଖବର ଦେବା ପରେ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁଲିସ ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରୁଥିବା ବେଳେ ଆବଶ୍ୟକ ପଡ଼ିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନିଆଯିବ ବୋଲି ସୂଚନା ମିଳିଛି। ସେହିପରି ଘର ଓ ଆଖପାଖ ଅଞ୍ଚଳରେ ଲାଗିଥିବା ଅନ୍ୟ ସିସିଟିଭି କ୍ୟାମେରାର ଫୁଟେଜ୍କୁ ମଧ୍ୟ ପୁଲିସ ଯାଞ୍ଚ କରୁଛି। ଲୁଟେରାଙ୍କୁ ଚିହ୍ନଟ କରିବା ଏବଂ ଲୁଟ୍ ହୋଇଥିବା ସାମଗ୍ରୀ ଉଦ୍ଧାର ପାଇଁ ତଦନ୍ତ ଜୋରଦାର କରିଛି ପୋଲିସ ।

