ବିଡିଏ ୧୫୨ତମ କର୍ତ୍ତୃପକ୍ଷ ବୈଠକ: ଏକାମ୍ର ରେସିଡେନ୍ସି ଆବାସିକ ପ୍ରକଳ୍ପର ଶୁଭାରମ୍ଭକୁ ମଞ୍ଜୁରୀ
ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୧୫୨ତମ କର୍ତ୍ତୃପକ୍ଷ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ବିଡିଏ (ବିଡିଏ) ଅଧ୍ୟକ୍ଷ ଡା.କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପକୁ ମଞ୍ଜୁରୀ ମିଳିବା ସହ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ବହୁ ପ୍ରତୀକ୍ଷିତ ‘ଏକାମ୍ର ରେସିଡେନ୍ସି’ ଆବାସିକ ପ୍ରକଳ୍ପର ଶୁଭାରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଛି।
ପ୍ରକଳ୍ପଟି ପାଇଁ ପୂର୍ବରୁ ‘ଅକ୍ୟୁପାନ୍ସି ସାର୍ଟିଫିକେଟ୍’ (ବସବାସ ଅନୁମତି ପତ୍ର) ମିଳିସାରିଛି ଏବଂ କର୍ତ୍ତୃପକ୍ଷ ଆପାର୍ଟମେଣ୍ଟଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତି ଓ କ୍ରୟକ୍ଷମତାକୁ ଦୃଷ୍ଟିରେ ରଖି ଏହି ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଏହି ପ୍ରକଳ୍ପ ରାଜଧାନୀର ଅନେକ ପରିବାର ପାଇଁ ନିଜସ୍ୱ ଘରର ସ୍ୱପ୍ନ ସାକାର କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି।
୭.୩୬ ଏକର ଜାଗାରେ ବିସ୍ତୃତ ଏହି ପ୍ରକଳ୍ପରେ ୩ଟି ଟାୱାର (ବି+ଜି+୧୨ ମହଲା)ରେ ୪୧୬ଟି ଦୁଇ ଶୟନକକ୍ଷ (୨ବିଏଚକେ)ଓ ୨୮୮ଟି (୩ବିଏଚକେ) ତିନି ଶୟନକକ୍ଷ ବିଶିଷ୍ଟ ଫ୍ଲାଟ ରହିଛି । ଏହାକୁ ବିଶ୍ୱସ୍ତରୀୟ ସୁବିଧା ସହିତ ଏକ ଆଧୁନିକ ଏବଂ ସ୍ଥାୟୀ ଜୀବନଯାପନ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି, ଯେଉଁଥିରେ ଆରସିସି ଫ୍ରେମ୍ଡ ଭୂମିକମ୍ପ-ପ୍ରତିରୋଧୀ ଗଠନ, କମ୍ୟୁନିଟି ହଲ, ସୁଇମିଂ ପୁଲ, ଓ୍ୱାକିଂ ଟ୍ରାକ, ବାଣିଜ୍ୟିକ ଅଞ୍ଚଳ, ଶିଶୁ ଖେଳପଡ଼ିଆ, ଫିଟନେସ ସେଣ୍ଟର, ସୁନ୍ଦର ଲ୍ୟାଣ୍ଡସ୍କେପ୍ ଖୋଲା ଜାଗା, ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ, ୱାଟର ରିଚାର୍ଜ ସିଷ୍ଟମ, ପାୱାର ବ୍ୟାକଅପ୍, ସିସିଟିଭି ନିରୀକ୍ଷଣ, ଅଗ୍ନି ନିରାପତ୍ତା ସିଷ୍ଟମ ଏବଂ ଅନ୍ୟାନ୍ୟ ସହାୟକ ଭିତ୍ତିଭୂମିର ବ୍ୟବସ୍ଥା ରହିଛି । ଏହା ବିଡିଏର ଉଚ୍ଚମାନର ସହର ଜୀବନଶୈଳୀ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ଗୃହ ପ୍ରକଳ୍ପ ବ୍ୟତୀତ, କର୍ତ୍ତୃପକ୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳ ବିକାଶ ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିରେ ଏକାମ୍ର କାନନ ଜଙ୍କସନରୁ ହାତିଆସୁଣି ପର୍ଯ୍ୟନ୍ତ ବାମ ସମାନ୍ତରାଳ ରାସ୍ତା ସହିତ ଏକ ଛାଇଯୁକ୍ତ ସାଇକେଲ ଟ୍ରାକ୍ ଏବଂ ପାଦଚଲା ରାସ୍ତା ନିର୍ମାଣ ଅନ୍ତର୍ଭୁକ୍ତ। କରିଡରରେ ବହୁ ପଦଯାତ୍ରୀ ଏବଂ ସାଇକେଲ ଚାଳକଙ୍କ ଯାତାୟାତ ଦେଖାଯାଏ କିନ୍ତୁ ନିରନ୍ତର ଛାଇଯୁକ୍ତ ଭିତ୍ତିଭୂମିର ଅଭାବ ରହିଛି, ଯାହା ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ କରେ, ବିଶେଷକରି ଅତି ଖରାପ ପାଗ ସମୟରେ। ପ୍ରସ୍ତାବିତ ପ୍ରକଳ୍ପଟି ସହରରେ ନିରାପଦ, ଆରାମଦାୟକ ଏବଂ ସ୍ଥାୟୀ ଅଣ-ମୋଟରଚାଳିତ ପରିବହନକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ, ବର୍ଜ୍ୟଜଳ ପରିଚାଳନା ଓ ପରିବେଶଗତ ସ୍ଥାୟୀତ୍ୱରେ ଉନ୍ନତି ଆଣିବା ଲକ୍ଷ୍ୟରେ ବାଣୀ ବିହାର ନିକଟସ୍ଥ ଡ୍ରେନ୍ ନଂ-୪ ଠାରେ ଏକ ପାଇଲଟ୍ ଭିତ୍ତିରେ ୧୦ (କେଏଲଡି) କ୍ଷମତା ବିଶିଷ୍ଟ ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସ୍ଟିପି ) ନିର୍ମାଣ ପାଇଁ ଅନୁମୋଦନ ପ୍ରଦାନ କରାଯାଇଛି।
ଏହି ବୈଠକରେ ବିଡିଏ ଦ୍ୱାରା ନିର୍ମିତ ସହରର ଅନ୍ୟତମ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ‘ସିଆରପି ଛକ ସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ୍ କମ୍ପ୍ଲେକ୍ସର ପୁନଃବିକାଶ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି। ଏହି ପୁନଃବିକାଶ କାର୍ଯ୍ୟ ଦ୍ୱାରା ପୁରୁଣା ହୋଇଯାଇଥିବା ଏହି ମାର୍କେଟ୍ କମ୍ପ୍ଲେକ୍ସର ଆଧୁନିକୀକରଣ ହେବା ସହ ବ୍ୟବସାୟୀ ଓ ପରିଦର୍ଶକମାନଙ୍କ ପାଇଁ ସୁବିଧାଗୁଡ଼ିକର ଉନ୍ନତି ଘଟିବ ବୋଲି ଆଶା କରାଯାଉଛି।
ସେହିପରି ମଳିପଡ଼ା ଓ ଦାସପୁର ଗ୍ରାମକୁ ଅନ୍ତର୍ଭୁକ୍ତ କରୁଥିବା ଟିପି ସ୍କିମ୍ (ସହର ପରିକଳ୍ପନା ଯୋଜନା ) ନଂ ୫, ୬ ଓ ୭ ତଥା ବିଜିପୁର, ବାଲିଆପଡ଼ା, କାଶୀପୁର, ଭଗବାନପୁର ଓ ପାତ୍ରପଡ଼ା ଗ୍ରାମକୁ ଅନ୍ତର୍ଭୁକ୍ତ କରୁଥିବା ସହର ପରିକଳ୍ପନା ଯୋଜନା ନଂ ୪୨, ୪୩, ୪୪ ଓ ୪୫ ପାଇଁ ‘ଉଦ୍ଦେଶ୍ୟ ଘୋଷଣା’କୁ କର୍ତ୍ତୃପକ୍ଷ ଅନୁମୋଦନ କରିଛନ୍ତି।
କର୍ତ୍ତୃପକ୍ଷ ପ୍ରସ୍ତାବିତ ନିଉ ସିଟି (ନୂତନ ସହର) ଏବଂ ପ୍ରସ୍ତାବିତ ଭୁବନେଶ୍ୱର ଟାଉନ୍ ସେଣ୍ଟର (ବିଟିସି) ପ୍ରକଳ୍ପର ଅଗ୍ରଗତିର ମଧ୍ୟ ସମୀକ୍ଷା କରିଥିଲେ। ଉଭୟ ପ୍ରକଳ୍ପର ଅଗ୍ରଗତି ନେଇ କର୍ତ୍ତୃପକ୍ଷ ସନ୍ତୋଷ ବ୍ୟକ୍ତ କରିଥିଲେ। ଏସବୁ ନିଷ୍ପତ୍ତି ସ୍ଥାନୀୟ ଅଞ୍ଚଳର ସମ୍ପୂର୍ଣ୍ଣ ଓ ପରିକଳ୍ପିତ ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି।
ବୈଠକରେ ବିଏମସି ମେୟର ସୁଲୋଚନା ଦାସ, ଜଟଣୀ ପୌରପାଳିକା ଅଧ୍ୟକ୍ଷ ଅନନ୍ତ ବେହେରା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା ଏବଂ ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
