Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ ବର୍ଷ ପରେ କୋଳକୁ ଫେରିଲା କୁନି ଝିଅ; କୁନି ଝିଅକୁ କୁଣ୍ଢାଇ ଧରି କାନ୍ଦିଲେ ବାପା

ବାଲେଶ୍ୱର: ଦୁଇ ବର୍ଷ ପରେ ନିଜ ୪ ବର୍ଷର କୁନି ଝିଅକୁ ଦେଖି ଭାବବିହ୍ୱଳ ହୋଇପଡ଼ିଲେ ବାପା। ଝିଅକୁ କୋଳରେ ଜଡ଼ାଇ ଧରି କାନ୍ଦି ପକାଇଥିବା ଏହି ଦୃଶ୍ୟ ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ଥାନା ଅନ୍ତର୍ଗତ ସୋରିଷପାଳ ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି। ପାରିବାରିକ ବିବାଦ କାରଣରୁ ବାପା-ମା’ ଅଲଗା ରହୁଥିବା ବେଳେ, ଶିଶୁଟିକୁ ଶିଶୁ ମଙ୍ଗଳ କମିଟି (CWC) ଏକ କନ୍ୟାଶ୍ରମରେ ରଖିଥିଲା ଏବଂ ବାପାଙ୍କୁ ଭେଟିବାକୁ ସୁଯୋଗ ମିଳୁନଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କନ୍ୟାଶ୍ରମରେ ପହଞ୍ଚି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ସେ ଘଟଣାର ଯାଞ୍ଚ କରିବା ସହ ପ୍ରୟୋଜନ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ମଧ୍ୟ ଏହା ଆଣିବେ ବୋଲି କହିଥିଲେ। ଏହି ସମୟରେ କୁନି ଝିଅକୁ କାହା ପାଖରେ ରହିବାକୁ ଇଚ୍ଛା ବୋଲି ପଚାରିବାରୁ ସେ କାନ୍ଦି କାନ୍ଦି ବାପାଙ୍କ ପାଖରେ ରହିବାକୁ ଚାହୁଁଥିବା କହିଥିଲା। ଏହା ପରେ ସାଂସଦ ସମସ୍ତ କାଗଜପତ୍ର ଯାଞ୍ଚ କରି ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ କର୍ତ୍ତୃପକ୍ଷଙ୍କୁ କହିଥିଲେ।

ଅନ୍ୟପଟେ, ଝିଅର ମା’ ଅଭିଯୋଗ କରିଛନ୍ତି ଯେ, ସ୍ୱାମୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ସେ ଘର ଛାଡ଼ିଥିଲେ ଏବଂ ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିସାରିଛନ୍ତି। ଝିଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ତାଙ୍କ ହେପାଜତରେ ଝିଅକୁ ଦେବାକୁ ସେ ଦାବି କରିଛନ୍ତି। ଏପରି ସ୍ଥିତିରେ କୁନି ଝିଅଟି ଶେଷରେ ବାପାଙ୍କ ପାଖରେ ରହିବ କି ମା’ଙ୍କ ପାଖରେ, ତାହା ନେଇ ଚୂଡ଼ାନ୍ତ ନିଷ୍ପତ୍ତିକୁ ସମସ୍ତଙ୍କ ଅପେକ୍ଷା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories