ଭୁବନେଶ୍ୱରରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି: ସ୍ୱାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
କାର୍ଯ୍ୟସୂଚୀ ଅନୁସାରେ, ବିମାନବନ୍ଦରରୁ ଲୋକସେବା ଭବନକୁ ଯାଇ କିଛି ସମୟ ବିତାଇବା ପରେ ରାଷ୍ଟ୍ରପତି ସଡ଼କପଥରେ କଟକ ଜିଲ୍ଲା ବାଆଁରା ନିକଟସ୍ଥ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିବେ। ଆସନ୍ତା ୪ ତାରିଖରେ ସେ ଭୁବନେଶ୍ୱର ରେଳ ଷ୍ଟେସନରୁ ଟ୍ରେନ୍ ଯୋଗେ ବ୍ରହ୍ମପୁର ଯାଇ ସେଠାରୁ ଗଞ୍ଜାମ ଜିଲ୍ଲାର ତପ୍ତପାଣିରେ ମା’ କନ୍ଧୁଣୀଦେବୀ ପୀଠରେ ଦର୍ଶନ, ଆଳତି ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ସେ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରିଯାପନ କରିବା ସହ ବ୍ରହ୍ମପୁର-ଗୋପାଳପୁରସ୍ଥିତ ଧବଳେଶ୍ୱର ମନ୍ଦିର ପରିଦର୍ଶନ କରିବେ।
ଆସନ୍ତା ୫ ତାରିଖରେ ରାଷ୍ଟ୍ରପତି ପୁଣି ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିବେ। ଏହାପରେ ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ଲୁ-ବୁକ୍ ଅନୁଯାୟୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ ପରିଚାଳନାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

