ସ୍ୱତନ୍ତ୍ର ଟ୍ରେନ୍ରେ ବ୍ରହ୍ମପୁର ଗସ୍ତରେ ମହାମହିମ ରାଷ୍ଟ୍ରପତି; ତପ୍ତପାଣିରେ ମା’ କନ୍ଧୁଣୀଙ୍କ ଦର୍ଶନ କରିବେ
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗଞ୍ଜାମ ଗସ୍ତକୁ ନେଇ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମଙ୍ଗଳବାର ସକାଳେ ସେ ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଛନ୍ତି। ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ବ୍ରହ୍ମପୁର ରେଳ ଷ୍ଟେସନରେ ସ୍ୱତନ୍ତ୍ର ବ୍ୟବସ୍ଥା ସହ କଡ଼ା ସୁରକ୍ଷା ବଳୟ ସୃଷ୍ଟି କରାଯାଇଛି।
ବ୍ରହ୍ମପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତି ପ୍ରଥମେ ସଡ଼କ ପଥରେ କାରକେଡ୍ ଯୋଗେ ତପ୍ତପାଣି ଅଭିମୁଖେ ଯିବେ। ସେଠାରେ ସେ ପ୍ରସିଦ୍ଧ ମା’ କନ୍ଧୁଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ କରିବେ। ପରେ ବ୍ରହ୍ମପୁରର ଗୋଳାବନ୍ଧସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ରେଳ ଷ୍ଟେସନ, ତପ୍ତପାଣି ଓ ଗୋଳାବନ୍ଧ ଅଞ୍ଚଳରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଡଗ୍ ସ୍କ୍ୱାଡ୍, ବୋମା ନିଷ୍କ୍ରିୟକାରୀ ଦଳ, ମେଟାଲ ଡିଟେକ୍ଟର ଏବଂ ସଶସ୍ତ୍ର ସୁରକ୍ଷା ବାହିନୀଙ୍କୁ ମୁତୟନ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତପଥରେ କୌଣସି ପ୍ରକାର ସୁରକ୍ଷା ତ୍ରୁଟି ନ ରହିବାକୁ ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଗସ୍ତ ଶେଷ ପରେ ରାଷ୍ଟ୍ରପତି ପୁଣି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁରରୁ ଭୁବନେଶ୍ୱର ଫେରିବେ।

