ନାଲି କାର୍ ଭିତରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର! ପୋଲିସର ଛାନଭିନ୍
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନାରେ କାର୍ଯ୍ୟରତ କନେଷ୍ଟବଳ ବସନ୍ତ ମହାନ୍ତଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଜାତୀୟ ରାଜପଥ-୧୮ର ପଦ୍ମନାଭପୁର ଛକ ନିକଟରେ ଏକ ନାଲି ରଙ୍ଗର କାର୍ ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବସନ୍ତ ମହାନ୍ତଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ଝାରପଖରିଆ ଅଞ୍ଚଳରେ ବୋଲି ଜଣାପଡିଛି |
ସୂଚନା ଅନୁସାରେ, ସୋମବାର ରାତିରୁ କାର୍ଟି ସେହି ସ୍ଥାନରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଅପରାହ୍ନ ପର୍ଯ୍ୟନ୍ତ ଗାଡ଼ିଟି ସେହିଠାରେ ରହିଥିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା। ଖବର ପାଇ ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍ ଯାଞ୍ଚ କରିବା ପରେ ଭିତରୁ କନେଷ୍ଟବଳ ବସନ୍ତ ମହାନ୍ତଙ୍କ ମୃତଦେହ ଉଦ୍ଧାର କରିଥିଲା। ପରେ ମୃତଦେହକୁ ବୈଶିଙ୍ଗା ଡାକ୍ତରଖାନାକୁ ପଠାଯାଇଥିବାବେଳେ ପରିବାର ସଦସ୍ୟଙ୍କ ସହ ଥାନାର ଅଧିକାରୀ ଓ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ।
ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ କଣ ଜଣାପଡିବ | ସ୍ୱାଭାବିକ ନା ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣରୁ ଘଟିଛି, ସେନେଇ ସ୍ପଷ୍ଟ ସୂଚନା ଆସିବ ବୋଲି ପୋଲିସ କହିଛି।

