ସରପଞ୍ଚ ଚାମେଲି ଓଝାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା! ଅନାସ୍ଥା ପୂର୍ବରୁ ବିଧାୟକ ଓ ଗ୍ୟାଙ୍ଗଷ୍ଟରଙ୍କ ନାଁରେ ଦେଲେ FIR
କେନ୍ଦ୍ରାପଡା: ମହାକାଳପଡ଼ା ବ୍ଲକର ଚର୍ଚ୍ଚିତ ତିଖିରି ସରପଞ୍ଚ ଚାମେଲି ଓଝା ନିଜ ଏବଂ ତାଙ୍କ ପରିବାରର ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରି ମଙ୍ଗଳବାର ମାର୍ଶାଘାଇ ଥାନାରେ ଏତଲା ଦାଖଲ କରିଛନ୍ତି। ଏତଲାରେ ସେ ମହାକାଳପଡ଼ା ବିଧାୟକଙ୍କ ସହ ତାଙ୍କ ସମର୍ଥକ ବୋଲି କୁହାଯାଉଥିବା ଗ୍ୟାଙ୍ଗଷ୍ଟର ସାଜନ ବେହେରା ଓ ଅନ୍ୟ କିଛି ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରି ନିଜକୁ ଧମକ ଦିଆଯାଉଥିବା ଦାବି କରିଛନ୍ତି। ଆସନ୍ତା ଅଗଷ୍ଟ ୧୩ ତାରିଖରେ ତାଙ୍କ ବିରୋଧରେ ହେବାକୁ ଥିବା ଅନାସ୍ଥା ଭୋଟ ପୂର୍ବରୁ ଏହି ଅଭିଯୋଗ ରାଜନୈତିକ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।
ଚାମେଲି ଓଝା ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ପୂର୍ବରୁ ତାଙ୍କୁ ବିନା କାରଣରେ ଗିରଫ କରାଯାଇଥିଲା ଏବଂ ସେହି ଘଟଣାର ତଦନ୍ତ ବର୍ତ୍ତମାନ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) କରୁଛି। ଦୁର୍ନୀତି ବିରୋଧରେ ୯ ଦିନର ଆମରଣ ଅନଶନ ଶେଷ କରି ଗତ ଜୁଲାଇ ୨୩ରେ ଗାଁକୁ ଫେରିବା ପରେ କିଛି ବ୍ୟକ୍ତି ବାଇକରେ ତାଙ୍କ ଘର ଚାରିପାଖରେ ବୁଲିବା ସହ ଘର ଓ ଆଖପାଖ ଅଞ୍ଚଳର ଭିଡିଓ କରିଥିବା ସେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେ ନିଜ ଓ ପରିବାରର ସୁରକ୍ଷା ପାଇଁ ପୁଲିସର ହସ୍ତକ୍ଷେପ ଲୋଡ଼ିଛନ୍ତି।
ଚାମେଲି ତାଙ୍କ ଏତଲାର ନକଲ କେନ୍ଦ୍ରାପଡ଼ା ଏସ୍ପି, ଡିଜିପି, ଆଇଜି, ଗୃହ ବିଭାଗ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ପଠାଇଥିବା ଜଣାଇଛନ୍ତି। ଅନ୍ୟପଟେ ମାର୍ଶାଘାଇ ଥାନା ଆଇଆଇସି ତପନ ନାୟକ କହିଛନ୍ତି ଯେ, ତାଙ୍କ ପାଖରେ ଏପର୍ଯ୍ୟନ୍ତ ଏତଲା ପହଞ୍ଚିନାହିଁ। ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୨୩ରେ ପଞ୍ଚାୟତର ୨୨ ଜଣ ୱାର୍ଡ ସଭ୍ୟଙ୍କ ମଧ୍ୟରୁ ୨୧ ଜଣ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ପରେ ଯାଞ୍ଚ ବେଳେ ୨୦ ଜଣ ୱାର୍ଡ ସଭ୍ୟ ଉପସ୍ଥିତ ରହି ସେହି ପ୍ରସ୍ତାବକୁ ସମର୍ଥନ କରିଥିଲେ।

