ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲା!୧୧ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଚାର୍ଜସିଟ୍, ୯ ଜଣଙ୍କୁ କ୍ଲିନ୍ଚିଟ୍ ଦେଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତରେ ଆଉ ପାଦେ ଆଗେଇଛି | ଦୀର୍ଘ ଦିନର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୭୬୭ ପୃଷ୍ଠାର ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ୍ରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟାକାଣ୍ଡ ସହ ଜଡ଼ିତ ବିଭିନ୍ନ ପ୍ରମାଣ ଉପସ୍ଥାପନ କରାଯାଇଛି।
ଏହି ମାମଲାରେ ପୂର୍ବରୁ ମୋଟ ୨୦ ଜଣଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ତଦନ୍ତ ସମୟରେ କେବଳ ୧୧ ଜଣଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିଥିବାରୁ ସେମାନଙ୍କ ନାମରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଅନ୍ୟପକ୍ଷରେ ଅବଶିଷ୍ଟ ୯ ଜଣଙ୍କ ବିରୋଧରେ କୌଣସି ଦୃଢ଼ ପ୍ରମାଣ ନମିଳିବାରୁ କ୍ରାଇମବ୍ରାଞ୍ଚ ସେମାନଙ୍କୁ କ୍ଲିନ୍ଚିଟ୍ ଦେଇଛି। ପୂର୍ବରୁ ସ୍ଥାନୀୟ ଥାନାରେ ସେମାନଙ୍କ ନାମରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ତଦନ୍ତରେ ଅଭିଯୋଗ ସାବ୍ୟସ୍ତ ହୋଇନଥିବା କୋର୍ଟକୁ ଜଣାଇଛି କ୍ରାଇମବ୍ରାଞ୍ଚ।
ସୌମ୍ୟଙ୍କ ହତ୍ୟା ପରେ ଘଟଣାକୁ ନେଇ ଜନଅସନ୍ତୋଷ ବଢ଼ିବା ସହ ପ୍ରାଥମିକ ପୁଲିସ ତଦନ୍ତକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା। ଏହାପରେ ସରକାର ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ବର୍ତ୍ତମାନ ଚାର୍ଜସିଟ୍ ଦାଖଲ ହେବା ସହ ମାମଲାର ବିଚାର ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।

