Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତ ନାହିଁ, ଭଙ୍ଗା କୋଠରୀ: ବଡ଼ମାଲ ପଞ୍ଚାୟତ କୋଲପାଲ ପ୍ରାଥମିକ ବିଦ୍ୟାଳୟର ଶୋଚନୀୟ ଅବସ୍ଥା; ନିମ୍ନମାନର ନିର୍ମାଣ ଓ ପ୍ରଶାସନିକ ସ୍ଥାଣୁତାକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ

ଜମନକିରା : ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ରୂପାନ୍ତରଣ ପାଇଁ ବଡ଼ ବଡ଼ ଦାବି କରୁଥିବା ବେଳେ ଗ୍ରାମାଞ୍ଚଳରେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ବଡ଼ମାଲ ପଞ୍ଚାୟତ ଅନ୍ତର୍ଗତ କୋଲପାଲ ପ୍ରାଥମିକ ବିଦ୍ୟାଳୟ ଏବେ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଛି। ବିଦ୍ୟାଳୟଟି ବହୁ ପୁରାତନ ହୋଇଥିବା ବେଳେ ଏହାର ଶ୍ରେଣୀ କୋଠରୀ ଗୁଡ଼ିକ ଭାଙ୍ଗିରୁଜି ବିପଜ୍ଜନକ ସ୍ଥିତିରେ ରହିଛି। ଶ୍ରେଣୀ ଗୃହ ଗୁଡ଼ିକ ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବାର ଭୟ ଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ବାଧ୍ୟ ହୋଇ କୋଠରୀରୁ ଛପର ଓ କାଠ ଗୁଡ଼ିକୁ କାଢ଼ି ତଳେ ରଖି ଦେଇଛନ୍ତି। ଫଳରେ ଅନ୍ୟ ଦୁଇଟି କୋଠରୀରେ ଶିଶୁ ବାଟିକାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଦେଖାଯାଇଛି। ଏହି ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀମାନେ ପାଠ ପଢ଼ା ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଓ ଖରାରେ ପିଲାମାନେ ଦୁଇଟି ଶ୍ରେଣୀ କୋଠରୀ ମଧ୍ୟରେ ୬ଟି ଶ୍ରେଣୀର ଛୁଆ କିପରି ଏକାଠି ବସି ପାଠ ପଢ଼ିବେ, ତାହାକୁ ନେଇ ଅଭିଭାବକମାନେ ଗଭୀର ଚିନ୍ତାପ୍ରକଟ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟ ପରିସରରେ କିଛି ମାସ ପୂର୍ବରୁ ନୂତନ ଭାବେ ନିର୍ମାଣ କରାଯାଇଥିବା ଗୃହର କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ସରକାରୀ ଅନୁଦାନର ଅପବ୍ୟବହାର କରାଯାଇ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବା ନେଇ ସ୍ଥାନୀୟ ଲୋକେ ଓ କମିଟି ପ୍ରଶ୍ନ ଉଠାଇଛନ୍ତି। ଦାୟିତ୍ୱରେ ଥିବା ସିଆରସିସି ରମଣୀ କିସାନ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବିଦ୍ୟାଳୟର ଜରାଜୀର୍ଣ୍ଣ ଅବସ୍ଥା ଏବଂ ନୂତନ ଗୃହ ନିର୍ମାଣରେ ହୋଇଥିବା ନିମ୍ନମାନ ଓ ଅନିୟମିତତାକାର୍ଯ୍ୟ ସମ୍ପର୍କରେ ସେ ଅନେକ ସମୟରେ ପରିଚାଳନା କମିଟିର କର୍ମକର୍ତ୍ତାଙ୍କୁ ନେଇ ବିଡ଼ିଓ ଏବଂ ବିଇଓ ଙ୍କୁ ଲିଖିତ ଓ ମୌଖିକ ଭାବେ ଅବଗତ କରାଇଛନ୍ତି। ମାତ୍ର ବାରମ୍ବାର ଜଣାଇବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର କରାଯାଇ ନାହିଁ। ପ୍ରଶାସନର ଏହି ଆବେଗହୀନ ମନୋଭାବ ଯୋଗୁଁ କୋମଳମତି ଶିଶୁଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯାଉଛି। ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏହି ବିଦ୍ୟାଳୟର ସ୍ଥିତି ଯାଞ୍ଚ କରି ନୂତନ ଶ୍ରେଣୀ ଗୃହ ନିର୍ମାଣ ସହ ନିମ୍ନମାନର କାମର ତଦନ୍ତ ନକରନ୍ତି, ତେବେ ଆଗାମୀ ଦିନରେ ଗ୍ରାମବାସୀ ଓ ଅଭିଭାବକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।
ଏସଂକ୍ରାନ୍ତରେ ଗୋଷ୍ଠୀ ଅତିରିକ୍ତ ଶିକ୍ଷା ଅଧିକାରୀ ଦେବକୀ ନାଏକଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଦୁଇ ତିନି ମାସରେ ସ୍କୁଲ କୁ ଯାଇ ତଦାରଖ କରି ପ୍ରତିକାର ବ୍ୟବସ୍ଥା କରିବେ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories