Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାର କଲେ ବଡ଼ ଘୋଷଣା: ବନ୍ୟା ପୀଡ଼ିତଙ୍କ ପାଇଁ ୧୧୦ କୋଟି ଟଙ୍କା ସହାୟତା! ଡିବିଟି ମାଧ୍ୟମରେ ପହଞ୍ଚିବ ଅର୍ଥ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ ଓଡ଼ିଶା ସରକାର ବଡ଼ ଘୋଷଣା କରିଛନ୍ତି | ବନ୍ୟା ପ୍ରଭାବିତ ୨୨ଟି ଜିଲ୍ଲା ପାଇଁ ମୋଟ ୧୧୦ କୋଟି ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି । ଏହି ସହାୟତା ରାଶି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ। ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ସବୁଠାରୁ ଅଧିକ ଅର୍ଥ ବରାଦ କରାଯାଇଛି।

ବାଲେଶ୍ୱର ଜିଲ୍ଲା ପାଇଁ ୨୨.୦୩ କୋଟି ଟଙ୍କା, ଯାଜପୁର ପାଇଁ ୨୦.୨୦ କୋଟି ଟଙ୍କା ଏବଂ ଭଦ୍ରକ ପାଇଁ ୨୦.୧୨ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହାଛଡ଼ା ଜଗତସିଂହପୁରକୁ ୮.୧୮ କୋଟି, କେନ୍ଦୁଝରକୁ ୬.୧୧ କୋଟି, ସମ୍ବଲପୁରକୁ ୫.୫୬ କୋଟି, କେନ୍ଦ୍ରାପଡ଼ାକୁ ୫.୦୪ କୋଟି ଏବଂ ମୟୂରଭଞ୍ଜକୁ ୫.୦୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଖୋର୍ଦ୍ଧା, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ଢେଙ୍କାନାଳ, ବରଗଡ଼, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, କଟକ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ମଧ୍ୟ ସହାୟତା ରାଶି ମଞ୍ଜୁର କରାଯାଇଛି। ଚଳିତ ବର୍ଷ ସ୍ୱାଭାବିକଠାରୁ ପ୍ରାୟ ୬୫ ପ୍ରତିଶତ ଅଧିକ ବର୍ଷା ହୋଇଥିବାରୁ ଅନେକ ନଦୀର ଜଳସ୍ତର ଏବେ ବି ବିପଦ ସଙ୍କେତ ଉପରେ ରହିଛି ଏବଂ ବହୁ ଅଞ୍ଚଳରେ ଜଳ ନିଷ୍କାସନ ସମ୍ପୂର୍ଣ୍ଣ ହୋଇପାରିନାହିଁ।

ଏପରି ସ୍ଥିତିରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପରିସ୍ଥିତିର ସମୀକ୍ଷା କରି ରାଜସ୍ୱ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଆସନ୍ତାକାଲି ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ବିଭାଗକୁ ବନ୍ୟା କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଜିଲ୍ଲାସ୍ତରରୁ ସମସ୍ତ ତଥ୍ୟ ସଂଗ୍ରହ ପାଇଁ ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ବିଶେଷକରି ନଦୀବନ୍ଧ ମରାମତି, ଘାଇ ସୁଦୃଢ଼ୀକରଣ ଏବଂ ବନ୍ୟା ପ୍ରତିରୋଧ ପାଇଁ ଆବଶ୍ୟକ କାର୍ଯ୍ୟ ସମ୍ପର୍କିତ ସବିଶେଷ ତଥ୍ୟ ମଗାଯାଇଛି। ଚୂଡ଼ାନ୍ତ ରିପୋର୍ଟ ମିଳିବା ପରେ ପୁନରୁଦ୍ଧାର ଓ କ୍ଷତିପୂରଣ ବଣ୍ଟନ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ସରକାର ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories