ଭୁବନେଶ୍ୱର କମିଶନରେଟ୍ ପୁଲିସର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: ୬ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସେମାନଙ୍କ ଦେଶକୁ ଫେରାଇବ
ଭୁବନେଶ୍ୱର: ରାଜଧାନୀରେ ବେଆଇନ ଭାବେ ରହୁଥିବା ୬ ଜଣ ବାଂଲାଦେଶୀ ନାଗରିକଙ୍କୁ ସେମାନଙ୍କ ଦେଶକୁ ଫେରାଇବା ପାଇଁ କମିଶନରେଟ୍ ପୁଲିସ ପ୍ରକ୍ରିୟା ଆରମ୍ଭ କରିଛି। ଏହି ୬ ଜଣଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି। ପୂର୍ବରୁ ସେମାନଙ୍କୁ ଇମିଗ୍ରେସନ୍ ଓ ଫରେନର୍ସ ଆକ୍ଟ ଅନୁସାରେ ଗିରଫ କରାଯାଇଥିଲା।
ପୁଲିସ କମିଶନର ଏସ୍. ଦେବଦତ୍ତ ସିଂହ କହିଛନ୍ତି, ଜାମିନରେ ମୁକ୍ତି ପାଇବା ପରେ ସେହି ୬ ଜଣଙ୍କୁ ନିୟମ ଅନୁଯାୟୀ ଆଠଗଡ଼ସ୍ଥିତ ରାଜ୍ୟ ହୋଲ୍ଡିଂ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୀମା ସୁରକ୍ଷା ବଳ (BSF) ଏବଂ ଅନ୍ୟ ସଂପୃକ୍ତ ସଂସ୍ଥା ସହ ସମନ୍ୱୟ କରି କୋଲକାତା ମାର୍ଗ ଦେଇ ବାଂଲାଦେଶ ସୀମାରେ ସେମାନଙ୍କୁ ହସ୍ତାନ୍ତର କରାଯିବ।
ପୁଲିସ ସୂଚନା ଅନୁଯାୟୀ, ଗତ ବର୍ଷଠାରୁ ଭୁବନେଶ୍ୱର ଓ କଟକରେ ମୋଟ ୪୮ ଜଣ ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି। ଏପର୍ଯ୍ୟନ୍ତ କଟକରୁ ୧୬ ଜଣ ଏବଂ ଭୁବନେଶ୍ୱରରୁ ୨୬ ଜଣଙ୍କୁ ସେମାନଙ୍କ ଦେଶକୁ ଫେରାଇ ଦିଆଯାଇଛି। ଏହି ୬ ଜଣଙ୍କୁ ଫେରାଇବା ପରେ ଭୁବନେଶ୍ୱରରୁ ନିର୍ବାସିତ ବାଂଲାଦେଶୀଙ୍କ ସଂଖ୍ୟା ୩୨ରେ ପହଞ୍ଚିବ। ସେମାନଙ୍କ ମଧ୍ୟରେ ୧୦ ଜଣ ପୁରୁଷ, ୧୭ ଜଣ ମହିଳା ଏବଂ ୫ ଜଣ ଶିଶୁ ରହିଛନ୍ତି। ଏହାଛଡ଼ା ଟ୍ୱିନ୍ ସିଟିରେ ଆହୁରି କୌଣସି ବେଆଇନ ବାଂଲାଦେଶୀ ରହୁଛନ୍ତି କି ନାହିଁ, ସେନେଇ ପୁଲିସ ଗୁଇନ୍ଦା ତଥ୍ୟ ସଂଗ୍ରହ କରୁଥିବା ବେଳେ ଚିହ୍ନଟ ହେଲେ ସେମାନଙ୍କ ବିରୋଧରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ୍ ପୁଲିସ ସ୍ପଷ୍ଟ କରିଛି।

