ମା’ଙ୍କ ଔଷଧ ଆଣିବାକୁ ଯାଇ ବନ୍ୟାସ୍ରୋତରେ ଚାଲିଗଲା ଜୀବନ; ୨୪ ଘଣ୍ଟା ପରେ ମିଳିଲା ମୃତଦେହ
କେନ୍ଦ୍ରାପଡ଼ା: ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇଥିବା ଜଣେ ଯୁବକ ବନ୍ୟାସ୍ରୋତରେ ଭାସିଯାଇ ପ୍ରାଣ ହରାଇଛନ୍ତି। ପ୍ରାୟ ୨୪ ଘଣ୍ଟାର ଖୋଜାଖୋଜି ପରେ ବୁଧବାର ଅପରାହ୍ନରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗ୍ରାମର ପ୍ରବୀର କୁମାର ଦାସ (୩୨)।
ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ପ୍ରବୀର ନିଜ ମା’ଙ୍କ ପାଇଁ ଔଷଧ ଆଣିବାକୁ ସିଂହପୁର ଯାଇଥିଲେ। ସନ୍ଧ୍ୟା ସୁଦ୍ଧା ସେ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ମାନପୁର-ଡିମିରିପାଳ ରାସ୍ତାର ମାନପୁର ଘୋଷରା ପୋଲ ନିକଟରେ ତାଙ୍କ ବାଇକ୍ ପଡ଼ିଥିବା ବେଳେ ପ୍ରବୀରଙ୍କ କୌଣସି ସନ୍ଧାନ ମିଳିନଥିଲା। ଏହାପରେ ସେ ବନ୍ୟାସ୍ରୋତରେ ଭାସିଯାଇଥିବା ସନ୍ଦେହ କରି ପରିବାର ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ମଙ୍ଗଳବାର ରାତି ପର୍ଯ୍ୟନ୍ତ ଏବଂ ବୁଧବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଶେଷରେ ବୁଧବାର ଅପରାହ୍ନରେ ପ୍ରବୀରଙ୍କ ମୃତଦେହ ଉଦ୍ଧାର କରାଯାଇ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

