ଓଡ଼ିଶାରେ ଭୂସ୍ଖଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ; ବିପଦପୂର୍ଣ୍ଣ ପାହାଡ଼ିଆ ରାସ୍ତା ଚିହ୍ନଟ କରିବାକୁ ଦେଲେ ନିର୍ଦ୍ଦେଶ
ଭୁବନେଶ୍ୱର: ବର୍ଷା ଋତୁରେ ପାହାଡ଼ିଆ ଅଞ୍ଚଳରେ ବାରମ୍ବାର ଘଟୁଥିବା ଭୂସ୍ଖଳନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଭୂସ୍ଖଳନ-ପ୍ରବଣ ଓ ସମ୍ବେଦନଶୀଳ ପାହାଡ଼ିଆ ରାସ୍ତାଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକର ସୁରକ୍ଷା ପାଇଁ ପ୍ରକଳ୍ପ ପ୍ରସ୍ତାବ ମାଗିଛନ୍ତି ସରକାର। ଏହି ପଦକ୍ଷେପ ମାଧ୍ୟମରେ ବର୍ଷା ସମୟରେ ଦୁର୍ଘଟଣାର ଆଶଙ୍କା କମିବା ସହ ଯାତାୟାତ ମଧ୍ୟ ସୁରକ୍ଷିତ ରହିବ |
ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDMF)ରୁ ୨୦୨୬-୨୭ ଆର୍ଥିକ ବର୍ଷରେ ଭୂସ୍ଖଳନ ପ୍ରଭାବିତ ରାସ୍ତାର ସ୍ଥାୟୀ ସୁରକ୍ଷା ଓ ମରାମତି ପାଇଁ ଅର୍ଥ ବ୍ୟୟ କରାଯିବ। ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ଜାରି ଚିଠିରେ କୋରାପୁଟ, ଜୟପୁର, ସୁନାବେଡା, ମାଲକାନଗିରି, ନବରଙ୍ଗପୁର, ବାରିପଦା, କରଞ୍ଜିଆ, ରାୟଗଡ଼ା, ଗୁଣୁପୁର ଓ ଗଜପତି ସମେତ ବିଭିନ୍ନ ଡିଭିଜନର ଅଧୀକ୍ଷଣ ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରକଳ୍ପ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରସ୍ତାବରେ ରିଟେନିଂ ୱାଲ୍, ଢାଳ ସ୍ଥିରୀକରଣ, ଉନ୍ନତ ଡ୍ରେନେଜ୍ ବ୍ୟବସ୍ଥା, ରକ୍ଫଲ୍ ସୁରକ୍ଷା, ଷ୍ଟୋନ୍ ପିଚିଂ ଏବଂ ବାୟୋ-ଇଞ୍ଜିନିୟରିଂ ଭଳି ବୈଜ୍ଞାନିକ ବ୍ୟବସ୍ଥାକୁ ସାମିଲ କରିବାକୁ କୁହାଯାଇଛି। ସମସ୍ତ ସମ୍ବନ୍ଧିତ ଡିଭିଜନକୁ ୭ ଦିନ ମଧ୍ୟରେ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ ଦାଖଲ କରିବାକୁ ନିର୍ଦ୍ଦେଶ ମିଳିଛି। ଏହା କାର୍ଯ୍ୟକାରୀ ହେଲେ ପାହାଡ଼ିଆ ଅଞ୍ଚଳରେ ଯାତାୟାତ ଅଧିକ ସୁରକ୍ଷିତ ହେବା ସହ ଭୂସ୍ଖଳନ ଯୋଗୁଁ ହେଉଥିବା କ୍ଷୟକ୍ଷତି ହ୍ରାସ ପାଇବ ବୋଲି ଆଶା କରାଯାଉଛି।

