ବ୍ୟାଙ୍କରୁ ଲୁଟିଥିଲେ ୪୨ ଲକ୍ଷ! ପୋଲିସ ତଦନ୍ତରେ ଖୋଲିଲା ବାପ-ପୁଅଙ୍କ ଠକେଇର ସମ୍ପୂର୍ଣ୍ଣ ରହସ୍ୟ
ବଡ଼ବିଲ: ବଡ଼ବିଲରେ ଆଇସିଆଇସିଆଇ (ICICI) ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଠକେଇ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଜାଲ୍ ଦସ୍ତଖତ, ନକଲି ଚେକ୍ ବହି ଏବଂ ବ୍ୟାଙ୍କର ଆଭ୍ୟନ୍ତରୀଣ ସୂଚନାର ଦୁରୁପଯୋଗ କରି ଗ୍ରାହକଙ୍କ ଆକାଉଣ୍ଟରୁ ପ୍ରାୟ ୪୨ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ବ୍ୟାଙ୍କର ପୂର୍ବତନ ରିଲେସନସିପ୍ ମ୍ୟାନେଜର ଜସପ୍ରିତ ସିଂହ ଓରଫ୍ ଜସି ଏବଂ ତାଙ୍କ ପିତା ବିକ୍ରମ ସିଂହଙ୍କୁ ବଡ଼ବିଲ ଥାନା ପୋଲିସ ଗିରଫ କରିଛି। ଦୀର୍ଘଦିନ ଧରି ଚାଲିଥିବା ଏହି ଠକେଇ ରାକେଟର ପର୍ଦ୍ଦାଫାଶ ପରେ ବ୍ୟାଙ୍କ ଗ୍ରାହକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ଘଟଣାର ଆରମ୍ଭ ହୋଇଥିଲା ଗତ ମାର୍ଚ୍ଚ ୧୪ ତାରିଖରେ। ମ୍ରିନାଲ୍ କଲୋନୀର ବାସିନ୍ଦା ଅନୀତା ଅଗ୍ରୱାଲ ଜାଣିବାକୁ ପାଇଥିଲେ ଯେ, ତାଙ୍କ ସେଭିଂସ୍ ଆକାଉଣ୍ଟରୁ ଜାଲ୍ ଦସ୍ତଖତ ଏବଂ ନକଲି ଚେକ୍ ବହି ବ୍ୟବହାର କରି ପ୍ରାୟ ୧୬ ଲକ୍ଷ ଟଙ୍କା ଉଠାଯାଇଛି। ଏହା ସହ ତାଙ୍କ ଅଜାଣତରେ ୨୦ ଲକ୍ଷ ଟଙ୍କାର ଜୀବନ ବୀମା ପଲିସିକୁ ସମୟ ପୂର୍ବରୁ ସେଟଲ୍ କରି ପ୍ରାୟ ୧୦.୩୪ ଲକ୍ଷ ଟଙ୍କା ଉଠା ନିଆଯାଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଅନୀତା ବଡ଼ବିଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ବ୍ୟାଙ୍କ ରେକର୍ଡ, ଇଲେକ୍ଟ୍ରୋନିକ୍ ପ୍ରମାଣ ଓ କଲ୍ ଡିଟେଲ୍ ଯାଞ୍ଚରୁ ଜଣାପଡ଼ିଥିଲା ଯେ, ଜସପ୍ରିତ ବ୍ୟାଙ୍କରେ କାର୍ଯ୍ୟରତ ଥିବା ସମୟରେ ଗ୍ରାହକଙ୍କ ଦସ୍ତଖତ ଜାଲିଆତି, ନକଲି ଏଫ୍ଡି ରସିଦ ପ୍ରଦାନ, ପ୍ରକୃତ ଏଫ୍ଡିକୁ ସମୟ ପୂର୍ବରୁ ବନ୍ଦ କରିବା, ମୋବାଇଲ୍ ନମ୍ବର ପରିବର୍ତ୍ତନ ଏବଂ ବିଭିନ୍ନ ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ ଟଙ୍କା ସ୍ଥାନାନ୍ତର କରି ଏହି ଠକେଇ କରୁଥିଲେ।
ପୋଲିସ ତଦନ୍ତର ଆଭାସ ପାଇ ଜସପ୍ରିତ କୋଲକାତାକୁ ଫେରାର୍ ହୋଇଯାଇଥିଲେ। ପରେ ଆଲିପୁର ଥାନା ଅଞ୍ଚଳର ଠାକୁରପୁଖୁରରୁ ତାଙ୍କୁ ଗିରଫ କରାଯାଇ ଟ୍ରାନ୍ଜିଟ୍ ରିମାଣ୍ଡରେ ବଡ଼ବିଲକୁ ଅଣାଯାଇଥିଲା। ପଚରାଉଚରା ବେଳେ ତାଙ୍କ ପିତା ବିକ୍ରମ ସିଂହଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲା, ଯାହାପରେ ପୋଲିସ ତାଙ୍କୁ ମଧ୍ୟ ଗିରଫ କରିଥିଲା। ତଦନ୍ତରେ ଅନୀତା ଅଗ୍ରୱାଲଙ୍କ ସହ ସତ୍ୟାନନ୍ଦ ମହାନ୍ତ, ବଚ୍ଚି ଦେବୀ ଓ ଦେବସ୍ମିତା ଜେନାଙ୍କ ଆକାଉଣ୍ଟରୁ ମଧ୍ୟ ସମାନ ଢଙ୍ଗରେ ପ୍ରାୟ ୧୬ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି। ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଏହି ରାକେଟରେ ବ୍ୟାଙ୍କର ଅନ୍ୟ କୌଣସି କର୍ମଚାରୀଙ୍କ ସଂପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି।

